କନକ ବ୍ୟୁରୋ: ସରକାରୀ କ୍ଵାର୍ଟର ଜବରଦଖଲ, ଭଡା ଲଗାଇବା ଉପରେ କଠୋର ହେବେ ସରକାର। ଯେଉଁମାନେ ପାଇଥିବା କ୍ଵାଟର ଭଡାରେ ଲଗାଇବେ,  ସେମାନଙ୍କ ବିରୋଧରେ ଆକ୍ସନ ହେବ । ଏହାଛଡା କ୍ବାର୍ଟର ପାଇଥିବା ବ୍ୟକ୍ତି ଓ ଭଡାରେ ଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । 

Advertisment

ରାଜଧାନୀରେ ସରକାରୀ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ହୋଇଛି । କିନ୍ତୁ ଅନେକ କର୍ମଚାରୀ ନିଜେ ଘର ତିଆରି କରି କିମ୍ବା ଭଡାରେ ରହି, ମିଳିଥିବା କାର୍ଟରକୁ ଅନ୍ୟକୁ ଭଡାରେ ଦେଉଛନ୍ତି । ଆଉ ଏହାକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ କ୍ଵାର୍ଟର ଭଡ଼ାରେ ଲଗାଇଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ଉଭୟ ଆଲଟମେଣ୍ଟ ହୋଇଥିବା ଓ ଭଡ଼ାରେ ରହୁଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବେ। ଅନେକ ଜାଗାରେ ସରକାରୀ କ୍ଵାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। କେତେକ ସ୍ଥାନରେ କ୍ଵାର୍ଟର ଜବରଦଖଲ ହୋଇଛି । ଏହା ଉପରେ ଏଇ ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି । ଏଭଳି ହେଉଥିବା ଜାଗାରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାର ଯୋଜନା କରୁଛନ୍ତି ଯେଉଁ ଅଞ୍ଚଳରେ ଘର ହେଉଛି ବା ପୁରୁଣା ହୋଇଗଲାଣି ତାକୁ ଭାଙ୍ଗି ପୁଣି ନୂଆ ଆକାରରେ ଘର ତିଆରି କରାଯିବ । 

ଜବରଦଖଲକାରୀଙ୍କ କବ୍‌ଜାରେ କ୍ବାର୍ଟର !
ଭଡ଼ାରେ ଲାଗିଛି, ମାଡ଼ିବସିଛନ୍ତି ବ୍ୟବସାୟୀ !

ସୂଚନା ଅନୁସାରେ ଅଧିକାଂଶ ସରକାରୀ କ୍ଵାର୍ଟର ଜବରଦଖଲକାରୀଙ୍କ କବଜାରେ ରହିଛି। ଏପରିକି ଏହାକୁ କବଜା କରି ଭଡ଼ାରେ ଲଗାଇଛନ୍ତି ଜବରଦଖଲକାରୀ । ବାହାରୁ ଆସି କିଛି ବ୍ୟବସାୟୀ ବି ଏଠାରେ ରହୁଛନ୍ତି। କେଉଁଠି ତାଲା ପକାଇ ଭିତରେ ଲୋକ ରହୁଛନ୍ତି ତ ଆଉ କେଉଁଠି କ୍ବାର୍ଟର ଭାଙ୍ଗିରୁଜି ଗଲାଣି । ନବନିର୍ବାଚିତ ବିଧାୟକ ଓ ଅନେକ ଚାକିରିଆଙ୍କୁ କ୍ଵାର୍ଟର ମିଳୁନାହିଁ । ଏବେ  ନୂଆ ସରକାର କହିଥିବା କଥା କେତେଦୂର କାର୍ୟ୍ୟକାରୀ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।