କନକ ବ୍ୟୁରୋ: କାଲି ଆସିବ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ ।ଗୋଟେ ପଟେ ବୁଥ ବାହୁଡା ମତ ଅନ୍ୟପଟେ ମେଣ୍ଟମାନଙ୍କ ଦୃଢୋକ୍ତି । ସରକାର ଗଢ଼ିବାକୁ ନିଜର ନିଜର ଦାବି ସହ ବୟାନବାଜି ଜୋରଦାର ଚାଲିଛି ।ସେପଟେ ସହଯୋଗୀ ଦଳମାନଙ୍କ ମଧ୍ୟରେ କନ୍ଦଳକୁ ନେଇ ଚର୍ଚ୍ଚା ମଧ୍ୟ ହେଲାଣି ।ନିର୍ବାଚନ ପୂର୍ବରୁ ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଯେଉଁ ଟଣାଓଟରା ଦେଖିବାକୁ ମିଳିଥିଲା ଆଗକୁ ନିର୍ବାଚନ ଫଳାଫଳ ବାହାରିବା ପରେ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରାଯିବ ସେନେଇ ମଧ୍ୟ ପ୍ରତିଦ୍ବନ୍ଦିତା ଦେଖାଯାଇପାରେ ।

Advertisment

କାଲି ମହାରାଷ୍ଟ୍ରର ଭାଗ୍ୟପରୀକ୍ଷା
ମହାବିକାଶ-ମହାୟୁତିର ଦୃଢୋକ୍ତି
ଆମେ ଗଢ଼ିବୁ ସରକାର

ନଭେମ୍ବର ୨୩ । ଆସିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ । ତେବେ ଏହା ପୂର୍ବରୁ ଉଭୟ ମହାୟୁତି ଓ ମହାବିକାଶ ଅଘାଡି ସମାନ ଦୃଢୋକ୍ତି ନେଇ ମୁହାଁମୁହିଁ ହୋଇଛନ୍ତି । ମହାୟୁତି କହୁଛି ଆମେ ଗଢ଼ିବୁ ସରକାର, ସମାନ କଥା ଉପରେ ଦାବି କରୁଛି ମହାବିକାଶ ଅଘାଡି । ପୂର୍ବଥରର ନିର୍ବାଚନ ତୁଳନାରେ ଏଥରକ ମହାରାଷ୍ଟ୍ର ରାଜ୍ୟ ରାଜନୀତିର ରୂପରେଖ ପ୍ରାୟ ବଦଳିଛି । ଏଥରକ ବିଜେପି, ଶିବସେନା ସିନ୍ଦେ, ଏନସିପି ଅଜିତ ପାୱାରଙ୍କ ମହାୟୁତି ଓ ଶିବସେନା ଉଦ୍ଧବ ଗୋଷ୍ଠୀ, ଏନସିପି ଶରଦ ପାୱାର ଓ କଂଗ୍ରେସର ମହାବିକାଶ ଅଘାଡି ମଧ୍ୟରେ କଡ଼ା ଟକ୍କର ହୋଇଛି । 
 
କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା?
ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ

ନିର୍ବାଚନ ଫଳାଫଳ ସ୍ଥିର କରିବ ମହାରାଷ୍ଟ୍ରରରେ ଏଥରକ କିଏ ସରକାର ଗଢ଼ିବ । ତେବେ ଏହା ଭିତରେ ଉଭୟ ମହାୟୁତି ଓ ମହାବିକାଶ ଅଘାଡିର ସହଯୋଗୀ ଦଳଗୁଡିକ ମଧ୍ୟରେ କନ୍ଦଳ ବଡ ସମସ୍ୟା ହୋଇ ଉଭା ହୋଇପାରେ । ୨୦୧୯ ନିର୍ବାଚନ ଉପରେ ଯଦି ନଜର ପକାଇବା ତେବେ ଶେଷଥର ବିଜେପିକୁ ବହୁମତ ମିଳିଥିଲେ ବି ସରକାର ଗଢ଼ିଥିଲେ ଶିବସେନା ଓ କଂଗ୍ରେସ ମେଣ୍ଟ । କାରଣ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଜିଦ ଧରିଥିବାବେଳେ ବିଜେପି ମଧ୍ୟ ପଦବୀ ଛାଡିବାକୁ ନାରାଜ ଥିଲା ଆଉ ଏଥିରେ ବାଜି ମାରିଥିଲା କଂଗ୍ରେସ । ପରେ ଶିବସେନା ଓ ଏନସିପି ଭାଗ ଭାଗ ହୋଇ ମହାୟୁତି ଓ ମହାବିକାଶରେ ମିଶିବା ପରେ ଏଥରକ ସମୀକରଣ ପୂରାପୁରି ବଦଳିଛି । ୨୦୨୪ ବିଧାନସଭା ନିର୍ବାଚନରେ ୬ ପ୍ରମୁଖ ଚେହେରା ଉପରେ ସବୁଠୁ ଅଧିକ ଫୋକସ ରହିଛି । କହିବାକୁ ଗଲେ ଏମାନଙ୍କୁ ନେଇ ଦଳ ଗୁଡିକ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦାବି କରିବେ ।

ମହାରାଷ୍ଟ୍ର ନିର୍ବାଚନ:ଫୋକସରେ ୬ ଚେହେରା

ମହାୟୁତି ସହଯୋଗୀ ଦଳ ଶିବସେନାର ଚେହେରା ଏକନାଥ ସିନ୍ଦେ, ବିଜେପିର ଦେବେନ୍ଦ୍ର ଫଡନବିସ,ଏନସିପିର ଅଜିତ ପାୱାର । ମହାବିକାଶ ଅଘାଡ଼ିର ସହଯୋଗୀ ଦଳର ଶିବସେନାର ଉଦ୍ଧବ ଠାକରେ,ଏନସିପିର ଜୟନ୍ତ ପାଟିଲ, କଂଗ୍ରେସର ନାନା ପାଟୋଲେ ରହିଛନ୍ତି

 

ବୁଥ ବାହୁଡ଼ା ମତ କହୁଛି ଏଥରକ ମହାରାଷ୍ଟ୍ରରେ ମହାୟୁତି ହାୱା ବେଶ ଭଲ ରହିଛି । ଜନତାଙ୍କ ଅଧିକାଂଶ ଭୋଟ ଓ ସମର୍ଥନ ବିଜେପି ଓ ସହଯୋଗୀ ମେଣ୍ଟକୁ ଯାଇଛି । ସେପଟେ ସମାନ ଦାବି କରି ମହାବିକାଶ ଅଘାଡି କହିଛି ୧୪୦-୧୫୫ ଆସନ ଜିତି ସରକାର ଗଢ଼ିବ । ତେବେ ଯିଏ ବି ବହୁମତ ହାସଲ କରୁ ଦେଖିବାକୁ ବାକି ରହିଲା ସବୁଠୁ ଅଧିକ ଆସନରେ ଲଢ଼ୁଥିବା ବିଜେପି ଓ କଂଗ୍ରେସ ନିଜ ସହଯୋଗୀ ଦଳଙ୍କୁ ନେଇ କିଭଳି ଆଗକୁ ବଢ଼ିବେ ।