କନକ ବ୍ୟୁରୋ: କଥାଟା ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଗୋବରରେ ପ୍ରସ୍ତୁତ ହୋଇଛି ପେନ୍ ଷ୍ଟାଣ୍ଡ, ଚପଲ, କାନ୍ଥ ଘଣ୍ଟା ସହ ବିଭିନ୍ନ ପେଣ୍ଟିଂ ତଥା ସୁନ୍ଦର କାରୁକାର୍ଯ୍ୟ । ଯାହାକୁ ଗ୍ରାହକ ଖୁବ୍ ପସନ୍ଦ କରୁଛନ୍ତି । ଯାହାର ମୂଲ୍ୟ  ପ୍ରାୟ ୩୦୦ ରୁ ଆରମ୍ଭ ହୋଇ ୩୦ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି । ଗୋବରରେ ଏହି ସବୁ ସୁନ୍ଦର ସାମଗ୍ରୀକୁ ପ୍ରସ୍ତୁତ କରିଛନ୍ତି କଟକର ଶ୍ୟାମ ସୁନ୍ଦର ସିକାରିଆ । ବିଶେଷକରି ଆଜିର ସମୟରେ ଗୋପାଳନ କରିବା ପାଇଁ ଲୋକେ ଏତେ ଇଚ୍ଛା ପ୍ରକାଶ କରୁନାହାନ୍ତି । ତାହାର ଏକ କାରଣ ହେଉଛି ଯେ କେବଳ କ୍ଷୀର ରୁ ହିଁ ସମ୍ପୂର୍ଣ୍ଣ ଗୁଜୁରାଣ ମେଣ୍ଟାଇବା କଷ୍ଟକର । ଏହି ସମସ୍ୟାର ସମାଧାନ ପାଇଁ ଶ୍ୟାମ ସୁନ୍ଦର ଗୋବରକୁ ନେଇ ଅଧ୍ୟୟନ କରି ଆଜି ଏକ ସଫଳ ଉଦ୍ୟୋଗ ଗଢି ତୋଳିଛନ୍ତି । ଗୁଜୁରାଟରୁ ପ୍ରଶିକ୍ଷଣ ନେଇ ଗୁଜୁରାଟ, ରାଜସ୍ଥାନ ଓ ଓଡ଼ିଶା ଭଳି ରାଜ୍ୟରେ ସେ ତାଙ୍କର ସାମଗ୍ରୀ ବିକ୍ରି କରୁଛନ୍ତି । ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଠାରୁ ଗୋବର କିଣି ସେମାନଙ୍କୁ ଅଧିକ ସ୍ବାବଲମ୍ବୀ କରିଛନ୍ତି ଶ୍ୟାମ ସୁନ୍ଦର ।

Advertisment

ଶ୍ୟାମ ସୁନ୍ଦରଙ୍କ ଏହି ପ୍ରୟାସ ଏବେ ଲୋକଙ୍କ ଦ୍ଵାରା ବେଶ ଗ୍ରହଣୀୟ ହୋଇପାରିଛି । ଚାଷୀଙ୍କ ଠାରୁ ଗୋବର ସଂଗ୍ରହ କରି ତାହାକୁ ଶୁଖାଇ ମେସିନରେ ସେହି ଗୋବରର ଫାଇନ୍ ପାଉଡର ପ୍ରସ୍ତୁତ କରାଯାଉଛି । ଏହି ପାଉଡରକୁ ବିଭିନ୍ନ ଅଠା ଆଉ କିଛି କେମିକାଲ ବ୍ୟବହାର କରି ତାହାକୁ ଛାଞ୍ଚରେ ପକାଯାଏ । ଏଥିରୁ ବାହାରିଥିବା ଆକୃତିକୁ ବିଭିନ୍ନ ରଙ୍ଗରେ ସଜାଇ ତାହାକୁ ବଜାରକୁ ଛଡାଯାଏ । ଆଣ୍ଟି ରାଡିଏସନ ଫୋନ୍ ଷ୍ଟାଣ୍ଡ, କାନ୍ଥ ଘଣ୍ଟା, ଗୋବର ଚପଲ, ଫୋଟ ଫ୍ରେମ, ବିଭିନ୍ନ ପ୍ରକାରର ପେଣ୍ଟିଂ ପ୍ରସ୍ତୁତ କରୁଛନ୍ତି ଶ୍ୟାମସୁନ୍ଦର । ଯେଉଁଥିରୁ ପ୍ରାୟ ୫ କୋଟିର ଲାଭ ହେଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଏହା ପରିବେଶ ଉପଯୋଗୀ ହେବା ସହ ସ୍ବାସ୍ଥ୍ୟପ୍ରଦ ଥିବାରୁ ଏହାର ଗ୍ରହଣୀୟତା ବଢୁଛି ବୋଲି କହିଛନ୍ତି ଗ୍ରାହକ ।

ସାଧାରଣ ଗୋବରକୁ ବ୍ୟବହାର କରି ଆଜି ଜଣେ ଉଦ୍ୟୋଗପତିର ପରିଚୟ ସୃଷ୍ଟି କରିଛନ୍ତି ଶ୍ୟାମସୁନ୍ଦର ସିକରିଆ । ଗୋବରରେ ପ୍ରସ୍ତୁତ ଏହି ସବୁ ସାମଗ୍ରୀକୁ ପ୍ୟାନ ଇଣ୍ଡିଆରେ ମଧ୍ୟ ଗ୍ରହଣୀୟତା ବଢୁଛି । ଯେଉଁଥିରୁ ଗୋପାଳନ କରୁଥିବା ବ୍ୟକ୍ତି ଅଧିକ ଲାଭବାନ ହେଉଛନ୍ତି ।