କନକ ବ୍ୟୁରୋ: ନଡ଼ିଆ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ବାଡ଼ିରେ ନଡ଼ିଆ ଗଛ ଦେଖିବାକୁ ମିଳିଥାଏ । ନଡ଼ିଆ ଗଛ ଥରେ ଲଗାଇଲେ ବର୍ଷ ବର୍ଷ ଧରି ଏହା ଲୋକଙ୍କୁ ରୋଜଗାର ଦେଇଥାଏ । ତେଣୁ ଚାଷୀମାନେ ଏହି ଗଛକୁ ନିଜ ପୁଅ ପରି ଯତ୍ନ ନେଇଥାନ୍ତି । କିନ୍ତୁ ଏବେ ଏହାର ଅମଳ କମିଯିବାରୁ ଦେଶୀ ନଡ଼ିଆର ସ୍ଥାନ ନେଲାଣି ବାହାର ରାଜ୍ୟର ନଡ଼ିଆ । ନଡ଼ିଆ ବ୍ୟବସାୟୀଙ୍କ ସହିତ କତା ଶିଳ୍ପୀ ହାତବାନ୍ଧି ବସିଲେଣି । 

Advertisment

ନଡ଼ିଆ କହିଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ନାଁ ମନକୁ ଆସିଯାଏ । ହେଲେ ଏବେ ଓଡ଼ିଶା ବଜାରରେ ରାଜ୍‌ କରୁଛି କେରଳ ତଥା ଅନ୍ୟ ରାଜ୍ୟର ନଡ଼ିଆ । ବଜାରରେ ସାକ୍ଷୀଗୋପାଳ ଅଞ୍ଚଳର ନଡ଼ିଆ ବଦଳରେ ଅନ୍ୟ ରାଜ୍ୟର ନଡ଼ିଆ ବିକ୍ରି ହେଉଛି । ନଡ଼ିଆ ବେପାରୀମାନେ ଅନ୍ୟ ବ୍ୟବସାୟ ଆପଣାଇଛନ୍ତି । ପ୍ରତିଦିନ ସାକ୍ଷୀଗୋପାଳ ନଡ଼ିଆ ନାଁରେ ବାହାର ରାଜ୍ୟର ୪- ୫ ଟ୍ରକ୍ ନଡ଼ିଆ ସାକ୍ଷୀଗୋପାଳ ଅଞ୍ଚଳର ହାଟକୁ ଆସୁଛି । ଆବଶ୍ୟକତା ଦୃଷ୍ଟିରୁ ଲୋକମାନେ ବାଧ୍ୟ ହୋଇ ଅଧିକ ଦରରେ ସେହି ନଡ଼ିଆ କିଣୁଛନ୍ତି । କିନ୍ତୁ ସେଥିରୁ ଦେଶୀ ନଡ଼ିଆର ସ୍ୱାଦ ମିଳୁନାହିଁ ।  

ସାକ୍ଷୀଗୋପାଳ ପରେ ରାଜ୍ୟରେ ବାଲେଶ୍ୱରର ଭୋଗରାଇ ନଡ଼ିଆ ଉତ୍ପାଦନରେ ଦ୍ୱିତୀୟ ବୋଲି କୁହାଯାଏ । ନଡ଼ିଆ ବଜାର ଭାବେ ଭୋଗରାଇର ହାଟସରିଷା ବଜାର ଅନ୍ୟତମ । ଚାଷୀମାନେ ନଡ଼ିଆ ବିକ୍ରି ପାଇଁ ଏହି ହାଟ ଉପରେ ନିର୍ଭର କରନ୍ତି । ସପ୍ତାହର ବୁଧବାର ଓ ଶନିବାର ଏଠାରେ ହାଟ ବସିଥାଏ  କିନ୍ତୁ ଧୀରେଧୀରେ ଏହି ହାଟରେ ନଡ଼ିଆ ବ୍ୟବସାୟ କମିଗଲାଣି । ଦିନେ ଯେଉଁଠି ଶତାଧିକ ବ୍ୟବସାୟୀ ବସୁଥିଲେ, ଏବେ ତାହା ହାତଗଣତିରେ ସୀମିତ । ଭୂତାଣୁ ଜନିତ ରୋଗ ଓ ବତ୍ୟା ଭଳି ପ୍ରାକୃତିକ ବିପର୍ଯୟ ପାଇଁ ନଡ଼ିଆ ଉତ୍ପାଦନ କମିଛି । ପୂର୍ବରୁ ଭୋଗରାଇ ଅଞ୍ଚଳରୁ ବହୁ ପରିମାଣର ନଡ଼ିଆ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା,ଏବେ କମି ଗଲାଣି ।  

୧୯୯୯ର ମହାବତ୍ୟା ଓ ୨୦୧୯ର ଫନୀ ବାତ୍ୟା ନଡ଼ିଆଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । ନଡ଼ିଆ ଉତ୍ପାଦନ କମୁଥିବାରୁ କତାଶିଳ୍ପ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଓଡ଼ିଶାରେ କତାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଲୋକଙ୍କୁ କେରଳରୁ କତା ଆଣୁଛନ୍ତି । ରାଜ୍ୟରେ ନଡ଼ିଆ ଚାଷର ବିକାଶ ପାଇଁ ସରକାର ପଦକ୍ଷେପ ନନେଲେ ଓଡ଼ିଶା ନଡ଼ିଆ ପରିଚୟ ହରାଇବାର ଆଶଙ୍କା ରହିଛି ।