କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ହାତରେ ଆଉ ମାସକରୁ ବି କମ୍ ସମୟ । ବାଂଲାଦେଶ ବିପକ୍ଷରେ ଟ୍ରଫି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ । ହେଲେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି ICC ଇଭେଣ୍ଟ୍ ଆୟୋଜନ ଅଧିକାର ପାଇଥିବା ପାକସ୍ତାନର ପୁଣି ଚିନ୍ତା ବଢ଼ାଇ ଦେଇଛି ଭାରତ । ଏବେ ଯେଉଁ ଖବର ଆସିଛି, ତାହାକୁ ନେଇ ଆଇସିସି ନିକଟରେ ଫେରାଦ ହେଲାଣି ପସିବି ।
ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତୀୟ ଦଳ ପ୍ରଥମେ ପାକିସ୍ତାନ ଗସ୍ତ କରିବାକ ସଫା ମନା କରି ଦେଇଥିଲା । ଟୁର୍ଣ୍ଣାମେଣ୍ଟ୍କୁ ହାଇବ୍ରିଡ୍ ମଡେଲ୍ରେ ଆୟୋଜନ କରିବାକୁ ଅପିଲ୍ କରିଥିଲା ବିସିସିଆଇ । ରାଜନୈତିକ ଓ ସୁରକ୍ଷା ଜନିତ କାରଣରୁ ପାକିସ୍ତାନ ଯିବାକୁ ମନା କରିଥିଲା ଟିମ୍ ଇଣ୍ଡିଆ । ଏବେ ଏହି ଟୁର୍ଣ୍ଣାମେଣ୍ଟ୍ ହାଇବ୍ରିଡ୍ ମଡେଲ୍ରେ ଆୟୋଜନ କରୁଛି ପାକିସ୍ତାନ । ଏହାପରେ କ୍ୟାପ୍ଟେନ୍ ଫଟୋ ସୁଟ୍ ଓ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ନିମନ୍ତ୍ରଣ ଦେଇଥିଲା ପାକିସ୍ତାନ । ହେଲେ ଏଥିପାଇଁ ବି ରୋହିତ ଶର୍ମାଙ୍କୁ ପାକିସ୍ତାନ ଯିବାକୁ ଦେଇନି ବିସିସିଆଇ । ସୂତ୍ର ମୁତାବକ ଏହି ସବୁ କାର୍ୟ୍ୟକ୍ରମଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରିବାକୁ ବିସିସିଆଇ ନିବେଦନ କରିଛି । ଏବେ ଭାରତୀୟ ଜର୍ସିରେ ଆୟୋଜକ ପାକିସ୍ତାନ ନାଁ ରଖିବାକୁ ବିସିସିଆଇ ମନା କରି ଦେଇଥିବା ରିପୋର୍ଟ ଆସୁଛି ।
ପାକିସ୍ତାନ ସହ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ହେଉଛି । ନିୟମାନୁଯାୟୀ ଆୟୋଜକ ଦେଶର ନାଁ ପ୍ରତିଯୋଗୀ ଟିମ୍ ଜର୍ସିରେ ପ୍ରିଣ୍ଟ୍ ହୋଇଥାଏ । ହେଲେ ଭାରତୀୟ ଜର୍ସିରେ ପାକିସ୍ତାନର ନାଁ ପ୍ରିଣ୍ଟ୍ କରିବାକୁ ଭାରତ ମନା କରି ଦେଇଥିବା ଖବର ଆସୁଛି । ଏହାକୁ ନେଇ ଏବେ ଚିହିଁକି ଉଠିଛି ପାକିସ୍ତାନ । ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ପିସିବିର ଜଣେ ଅଧିକାରୀ ବସିସିଆଇ ଖେଳରେ ରାଜନୀତି ପୁରାଉଥିବା ନେଇ ଅଭିଯୋଗ କରିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି ବିସିସିଆଇ ଯାହା କରୁଛି ତାହା କ୍ରିକେଟ୍ ପାଇଁ ଆଦୌ ଶୁଭଙ୍କର ନୁହେଁ । ଜର୍ସିରେ ପାକିସ୍ତାନ ନାଁ ପ୍ରିଣ୍ଟ୍ କରିବାକୁ ଭାରତ ମନା କରୁଥିବା ରିପୋର୍ଟ ଆସିଛି । ଅନ୍ତର୍ଜାତୀୟ କ୍ରକେଟ ପରିଷଦ ଏହା ହେବାକୁ ଦେବନାହିଁ ବୋଲି ଆମର ବିଶ୍ୱାସ । ସେପଟେ ଏହାକୁ ନେଇ ବିସିସିଆଇ କିମ୍ବା ବିସିସିଆଇର କୌଣସି ଅଧିକାରୀ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ଏହାଛଡ଼ା ଏଭଳି ବିବାଦୀୟ ବିଷୟରେ ଆଇସିସି ସବୁବେଳେ ବିସିସିଆଇ ସପକ୍ଷରେ ରହି ଆସିଛି । ତେବେ ଜର୍ସିରେ ପାକିସ୍ତାନ ନାଁ ପ୍ରିଣ୍ଟ୍ ନକରିବାକୁ ନେଇ ଆଇସିସି କାହା ସପକ୍ଷରେ ରହୁଛି ତାହାରି ଉପରେ ସଭିଙ୍କ ନଜର ।