କନକ ବ୍ୟୁରୋ: ଆଉନାହାନ୍ତି ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କର ଆଜି ତାଙ୍କ ଭୁବନେଶ୍ୱର ବାସଭବନରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଥିବା ବେଳେ ବହୁ ସାହିତ୍ୟିକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ଆଧୁନିକ ଓଡ଼ିଆ କବିତାର କାଳଜୟୀ ସ୍ରଷ୍ଟା ହେଉଛନ୍ତି ରମାକାନ୍ତ ରଥ । ପରଲୋକ ପରେ ବି କବିତାର ଶବ୍ଦ ଓ ଧାଡ଼ିରେ କଥା କହୁଛନ୍ତି ଓ କହୁଥିବେ ରମାକାନ୍ତ । ଅନନ୍ୟ ତାଙ୍କ ସାରସ୍ବତ ସାଧନା ଓ ଶବ୍ଦ ସଂଯୋଜନା ।
୧୯୩୪ ଡିସେମ୍ୱର ୧୩ରେ କଟକ ବିଶ୍ୱନାଥପୁରରେ ଜନ୍ମ ହୋଇଥିଲେ ରମାକାନ୍ତ। ଇଂରାଜୀରେ ରେଭେନ୍ସା କଲେଜରୁ ଏମଏ ପରେ ୧୯୫୭ରେ ଆଇଏଏସ୍ ପାଇଥିଲେ। ପ୍ରଶାସନିକ ଓ ସେବା ସହିତ ରୁଦ୍ଧିମନ୍ତ ହୋଇଥିଲା ତାଙ୍କ ସାହିତ୍ୟ ସମ୍ଭାର । ୧୯୭୮ରେ ରମାକାନ୍ତ ରଥ କବିତା ସଙ୍କଳନ ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ପରେ ପରେ ଲମ୍ୱିଥିଲା ତାଙ୍କ ପୁରସ୍କାର ଓ ସମ୍ମାନର ତାଲିକା। ଅତିବଡ଼ୀ ଜଗନ୍ନାଥ ଦାସ, ଶାରଳା ପୁରସ୍କାର, ଝଙ୍କାର ଓ ବିଷୁବ ପୁରସ୍କାର, ସାହିତ୍ୟ ଭାରତୀ, କଳିଙ୍ଗ ରତ୍ନ, ଉତ୍କଳ ରତ୍ନ, ଗଙ୍ଗାଧର ସମ୍ମାନ ଆଦି ଅନେକ ସମ୍ମାନ ଓ ପୁରସ୍କାରର ସେ ଅଧିକାରୀ ଥିଲେ। ୧୯୯୨ରେ ‘ସରସ୍ୱତୀ ସମ୍ମାନ’ ଲାଭ କରିଥିଲେ ରମାକାନ୍ତ । ୨୦୦୯ରେ ସେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ଲାଭ କରିଥିଲେ।
ତାଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରେ ଶ୍ରୀରାଧା, ସନ୍ଦିଗ୍ଧ ମୃଗୟା, ସପ୍ତମ ରୁତୁ, ସଚିତ୍ର ଅନ୍ଧାର, ସୀମାନ୍ତ ବାସ, ଫେରି ଚାହିଁଲେ, ସବୁଦିନେ ସେପାଖେ, ଅନେକ କୋଠରୀ, ଶ୍ରୀପଳାତକ, କେତେଦିନର, ସରଳ ହୃଦଗଣିତ, ଧର୍ମପଦର ଆତ୍ମହତ୍ୟା, କବିତା ସମଗ୍ର ଆଦି କବିତା ସଙ୍କଳନ ବେଶ୍ ଲୋକପ୍ରିୟ। କବିତା ସଂକଳନ ‘ଶ୍ରୀରାଧା’ ପାଇଁ ସେ ସର୍ବାଧିକ ଚର୍ଚ୍ଚିତ ହେବା ସହ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିଲେ ରମାକାନ୍ତ। ଭାରତୀୟ ପ୍ରଶାସନିକ ସେବାରୁ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୯୩ରୁ ୧୯୯୮ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ ସଭାପତି ଓ ୧୯୯୮ରୁ ୨୦୦୩ ଯାଏଁ ସଭାପତି ଥିଲେ ରମାକାନ୍ତ । ୨୦୦୬ରେ ପଦ୍ମଭୂଷଣ ଉପାଧି ପାଇଥିଲେ। ଶେଷ ପର୍ଯ୍ୟନ୍ତ ତାଙ୍କ ଲେଖନୀ ସକ୍ରିୟ ଥିଲା। ସେ ଅନ୍ୟ ଭାଷାର ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିବା ବେଳେ ତାଙ୍କ କବିତା ଇଂରାଜୀ ଏବଂ ଅନ୍ୟଭାଷାରେ ଅନୁଦିତ ହୋଇ ଲୋକପ୍ରିୟ ହୋଇଛି।