କନକ ବ୍ୟୁରୋ : ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବ୍ରୁଆରି ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ସମୟ ଭିତରେ ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତିରେ ବାଧା ସୃଷ୍ଟି ହେଉଛି । କାମ ତ୍ବରାନ୍ବିତ ହୋଇପାରୁନାହିଁ । ତେବେ ନୀତି ସଅଳ ସାରିବାକୁ ଚେଷ୍ଟା କରୁଥିବା ସେବାୟତ କହିଛନ୍ତି ।
ଭିତର ରତ୍ନଭଣ୍ଡାରର ମରାମତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର । ବାହାର ରତ୍ନଭଣ୍ଡାର କାନ୍ଥରେ ଚୂନ ଛଡ଼ା ଯାଉଛି । ମରାମତି ଅତି ଗୁରୁତ୍ବପୂର୍ଣ୍ଣ କାମ ହୋଇଥିବାରୁ ବିଳମ୍ବ ହେଉ ପଛେ ଠିକ୍ ଭାବରେ କାମ କରାଯାଉଛି ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି । ପରେ ପାର୍ଶ୍ଵ ଦେବଦେବୀ ମନ୍ଦିର ମରାମତି ହେବ। ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ଅଳଙ୍କାର ଥିବା ସିନ୍ଦୁକ ଓ ଆମଲମିରା ସବୁକୁ ନୀଳାଦ୍ରି ମ୍ୟୁଜିୟମ ପାଖ ପ୍ରକୋଷ୍ଠରେ ରଖାଯାଇଛି । ରତ୍ନଭଣ୍ଡାର ମରାମତି ସରିଲେ ଅଳଙ୍କାର ଗଣତିମଣତି ହେବ । କିନ୍ତୁ ରତ୍ନଭଣ୍ଡାର ମରାମତି କେବେ ସରିବ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।