କନକ ବ୍ୟୁରୋ: ରାଜନେତାଙ୍କ କଥା ପଡ଼ିଲେ ରାଜାଙ୍କ ଭଳି ଠାଣି ଓ ଚଳଣି ମନକୁ ଆସେ । ହେଲେ ଏମିତି ଜଣେ ରାଜନେତା ଅଛନ୍ତି, ଯିଏ ବିଧାୟକ ହେବା ପରେ ବି ଆଜବେଷ୍ଟସ୍ ଘରେ ରହୁଛନ୍ତି, ସେ ଭୂମିହୀନ ମଧ୍ୟ । ବିଧାୟକ ହେବା ପରେ ଭଲ ଦରମା ପାଇଲେ ବି ତାଙ୍କୁ କୌଣସି ପ୍ରକାର ବିଳାସବ୍ୟସନର ମୋହ ଗ୍ରାସ କରିନାହିଁ ।
- ଆଜବେଷ୍ଟସ୍ ଘରେ ବିଧାୟକ
- ଜମି ନାହିଁ, ବସ୍ତିରେ ଘର
ବସ୍ତିର ଅଧିକାଂଶ ଲୋକଙ୍କ ପରି ଗୋଟିଏ ଆଜବେଷ୍ଟସ୍ ଘରେ ରହୁଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ । ସୁଦର୍ଶନଙ୍କ ସହ ରହୁଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ପିଲା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଏସି କି କୁଲର୍ ନାହିଁ । ପଙ୍ଖା ହିଁ ଭରସା । ଦିନ ମଜୁରିଆରୁ ଜିଲ୍ଲା ପରିଷଦ ସଭ୍ୟ ଓ ପରେ ବିଧାୟକ ହୋଇଥିବା ସୁଦର୍ଶନ ହରିପାଲ କୁହନ୍ତି ତାଙ୍କର ପସନ୍ଦ ସରଳ ଜୀବନଯାପନ ।
ତେବେ ବିଧାୟକ ସୁଦର୍ଶନ ହରିପାଲଙ୍କ ସମ୍ପତ୍ତି କହିଲେ ଲୋକଙ୍କ ସମର୍ଥନ ଓ ଭଲପାଇବା । ଏହା ଭିତରେ ସେ ୨ ଲକ୍ଷ ଟଙ୍କାରେ କିଛି ଜମି କିଣିଛନ୍ତି । ସେଠାରେ ସେ ତାଙ୍କ କାର୍ଯ୍ୟାଳୟ କରି ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଧାୟକ ହୋଇଥିଲେ ବି ବିଳାସବ୍ୟସନଠାରୁ ଦୂରେଇ ରହୁଛନ୍ତି । ବିଧାୟକ ସୁଦର୍ଶନ ହରିପାଲଙ୍କ ନିରାଡ଼ମ୍ବର ଜୀବନ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ମଧ୍ୟ ସେ ଏମିତି ରହିବେ ବୋଲି କହିଛନ୍ତି ।