କନକ ବ୍ୟୁରୋ: ସେ ଥିଲେ ଇଟା ଓ ମାଟିର କବି... ସେ ଥିଲେ ହସ ବିକୁଥିବା କବି... ନିରୁତା ଜୀବନରେ ହାସ୍ୟରସ ଭରି ଜୀବନକୁ ହାସ୍ୟମୟ କରିବାରେ ସେ ଥିଲେ ସିଦ୍ଧହସ୍ତ, ବିସ୍ମୟ ଓ ବିଚକ୍ଷଣ ବିନ୍ଧାଣୀ... ଶବ୍ଦର ଯାଦୁଗର ଥିଲେ ଆଶୁ କବି ଯଦୁମଣି ମହାପାତ୍ର ଯାହାଙ୍କୁ ଓଡିଶା ଉତ୍କଳ ଘଣ୍ଟ ନାଁରେ ଜାଣେ, ଶୁଣେ ଓ ପଢେ...

Advertisment

ହାସ୍ୟକବି ଭାବେ କବି ଯଦୁମଣି ମହାପାତ୍ର ଘରେ ଘରେ ପରିଚିତ ଥିବା ବେଳେ ତାଙ୍କ କବିତାର ଠାଣି ଓ ଚତୁରତା ତାଙ୍କ ନିର୍ଭିକତାର ପରିଚୟ ଦେବା ସହ ସମାଲୋଚନାଭରା ତାଙ୍କ ସୃଜନୀ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦିଏ ।

ତେବେ ହାସ୍ୟରସର କବି ଭାବେ ଯଦୁମଣିଙ୍କୁ ଅନେକ ଜାଣିଥିବା ବେଳେ ତାଙ୍କର ଅନ୍ୟ ଏକ ପ୍ରତିଭା ବାବଦରେ ଓଡିଶାର ଅନେକ ଅଜଣା ଥିବେ । ଖାଲି ଭଲ କବିତା ନୁହେଁ ସୁନ୍ଦର ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ଥିଲେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର । ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ନିର୍ମାଣ ନିଜ କୌଳିକ ବୃତ୍ତି ଥିବାରୁ ସେ ଏଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଆଉ ଏହାହିଁ ଥିଲା ତାଙ୍କ ପ୍ରତିଭାର ଅନ୍ୟ ଏକ ଫର୍ଦ୍ଦ । ଯାହା ଆଜି ବି ଅନେକଙ୍କୁ ଅଜଣା ଅଛପା...

ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହା କି ସମାଜ ଉପଯୋଗୀ ଥିଲା । ‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି’, ‘ରାଜା ସିନା ପୂଜା ପାଏ ଆପଣା ଦେଶରେ କବି ପୂଜା ପାଉଥାଏ ଦେଶ ବିଦେଶରେ’ ଏବଂ ‘ଛାମୁ ଯାହା ଦେଲେ ହରଷେ’ ଆଦି ପଦ ଗୁଡିକ ଆଜି ବି ଲୋକଙ୍କ ମୁହଁରେ ଆପେଆପେ ବାହାରି ଆସେ... ଜୟନ୍ତୀରେ ଉତ୍କଳ ଘଣ୍ଟ ଯଦୁମଣିଙ୍କୁ କୋଟି କୋଟି ପ୍ରଣାମ...