କନକ ବ୍ୟୁରୋ : ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜନ୍ମ ଜୟନ୍ତୀ ହୋଇଥିବା ବେଳେ ସୁଭାଷ ଚନ୍ଦ୍ର ବୋସଙ୍କର ବି ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ବାଦ ଓ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସିପାହୀ ବିଦ୍ରୋହର ଢେର ବର୍ଷ ପୂର୍ବରୁ ଇଂରେଜଙ୍କୁ ରଣ ହୁଙ୍କାର ଦେଇଥିଲେ ବୀର ସୁରେନ୍ଦ୍ର ସାଏ । ତାଙ୍କ ଭାଇ ଉଦନ୍ତ ସାଏ ୪୭ ବର୍ଷ ଧରି କାରାବରଣ କରିଥିଲେ, ଯାହା ବିଶ୍ୱରେ ବିରଳ । ଇଂରେଜଙ୍କୁ ଗରିଲା ଯୁଦ୍ଧରେ ପାଣି ପିଆଉଥିବା ସେହି ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଆଜି ୨୧୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ସମ୍ବଲପୁର ଫୋର ସି ଗ୍ରାଉଣ୍ଡରେ ସମ୍ବାଦ ଓ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବୀର ମାଟି ତଥା ଜନ୍ମ ମାଟି ଖିଣ୍ଡାରୁ ମସାଲ ଶୋଭାଯାତ୍ରାରେ ଆସି ଫୋର ସି ଗ୍ରାଉଣ୍ଡରେ ପହଞ୍ଚିଥିଲା । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସାହସୀ ତଥା ସ୍ୱାଭିମାନୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ସେହିଭଳି ସ୍ୱାମୀ ନିତ୍ୟଚୈତନ୍ୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ ଭଳି ଜୀବନ୍ତ ପ୍ରତିନିଧି ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି ।
ଆଜି ଜେଲଖାନା ଛକରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଯୋଗ ଦେଇ ମାଲ୍ୟାର୍ପଣ କରି ସୁରେନ୍ଦ୍ର ସାଏଙ୍କ ସ୍ମୁତି ଚାରଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଶାଳ ରାଲି କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ଦେଶପ୍ରେମୀ ନାଟକ ପରିବେଷଣ କରାଯାଇଛି । ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।
କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବାଦ ଓ କନକ ନ୍ୟୁଜ୍ର ସମ୍ବାଦିକା ତନୟା ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ଭବାନୀ ତ୍ରିପାଠୀ, ସମ୍ବଲପୁର ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।