କନକ ବ୍ୟୁରୋ: କିଏ ଜାଣିଥିଲା ସେ ଏମିତି ଛାଡି ଚାଲିଯିବେ... କିଏ ଜାଣିଥିଲା ସମସ୍ତଙ୍କୁ ସେ କନ୍ଦେଇ ଦେବେ । କିଏ ବା ଜାଣିଥିଲା ସବୁବେଳେ ହସୁଥିବା ତାଙ୍କର ହସହସ ଚେହେରା ହଠାତ ନୀରବି ଯିବ । ସୁଶାନ୍ତ ସିଂ, ଯୁବ ପୀଢିଙ୍କ ପ୍ରେରଣା ପାଲଟିଥିବା ଏହି ଚେହେରା ଅନେକ ବର୍ଷ ହେବ ଆମ ଭିତରେ ନାହାନ୍ତି । ଏବେ ବି ବିଶ୍ୱାସ ହେଉନି, ୟାରି ଭିତରେ ୫ ବର୍ଷ ବିତିବାକୁ ବସିଲାଣି । ଆଜି ତାଙ୍କ ଜନ୍ମ ବାର୍ଷିକୀ ସୁଶାନ୍ତଙ୍କୁ ମନେ ପକାଉଛି ସାରା ଦେଶ...

Advertisment

ମନରେ ଥିଲା ଅନେକ ଜୋସ, ଆଉ ସେହି ଜୋଶ ନେଇ ବିହାରୁ ଆସିଥିଲେ ବଲିଉଡ । ଛୋଟ ପରଦାରୁ ବଡ ପରାଦକୁ ଆସିବାକୁ ସେ ବହୁତ ସଂଘର୍ଷ କରିଥିଲେ । ଯାହା ଆଜିକା ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛି । ୧୯୮୬ ଜାନୁଆରୀ ୨୧ ତାରିଖରରେ ବିହାରର ରାଜଧାନୀ ପଟନାରେ ଜନ୍ମ ଗ୍ରହଣ କରିଥିଲେ ସୁଶାନ୍ତ । ପାରିବାରିକ ଆର୍ଥିକ ସ୍ଥିତି ଏତେଟା ସ୍ୱଚ୍ଛଳ ନଥିଲେ ବି ପିଲାଟି ଦିନୁ ସେ ଥିଲେ ଜଣେ ମେଧାବୀ ଛାତ୍ର । ୨୦୦୨ରେ ତାଙ୍କ ମାଙ୍କ ଦେହାନ୍ତ ତାଙ୍କ ଜୀବନରେ ବଡ ଝଡ ଆଣିଥିଲା । ଆଉ ସେହି ବର୍ଷ ସୁଶାନ୍ତଙ୍କ ପୂରା ପରିବାର ପଟନାରୁ ଦିଲ୍ଲୀ ଚାଲି ଆସିଥିଲେ । ସେଠାରେ ସୁଶାନ୍ତ ଦିଲ୍ଲୀ ଟେକ୍ନୋଲୋଜୀ ୟୁନିଭରସିଟିରେ ବିଟେକ ମେକାନିକାଲ ଇଞ୍ଜିନିୟରିଂ ପାଠ ଆରମ୍ଭ କରିଥିଲେ । 

ପାଠ ସହ ନାଚରେ ଆଗ୍ରହ ଥିବାରୁ ସେ ଏକ ଡ୍ୟାନ୍ସ ଏକାଡେମୀରେ ନାଚ ଶିଖିଥିଲେ ସୁଶାନ୍ତ । ଆଉ ୨୦୦୬ରେ ପ୍ରଥମଥର କରି ଫିଲ୍ମ ଫେୟାର ଆଓ୍ୱାର୍ଡ ସେରିମନିରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ତାଙ୍କୁ ସୁଯୋଗ ମିଳିଥିଲା । ଏହାପରେ ଧିରେ ଧିରେ ସୁଶାନ୍ତ ନାଚରୁ ଅଭିନୟ ଆଡକୁ ମନ ବଳାଇଥିଲେ । ଆଉ ପାଠରୁ ପରଦା ଆଡକୁ ତାଙ୍କର ଉତ୍ସାହ ବଢିବାରେ ଲାଗିଥିଲା । ସେଥିପାଇଁ ତ ଇଞ୍ଜିନିୟରିଂ ପରୀକ୍ଷାରେ ବାରମ୍ୱାର ଫେଲ ହେଉଥିଲେ ସୁଶାନ୍ତ । ପରିବାରଠାରୁ ପ୍ରେରଣା ପାଇ ବିଟେକର ତୃତୀୟ ବର୍ଷରୁ ପାଠକୁ ବାଏ ବାଏ କହି ସେ ନିଜକୁ ଅଭିନୟ କ୍ଷେତ୍ରରେ ସମର୍ପି ଦେଇଥିଲେ । ଆଉ ସମସ୍ତଙ୍କ ପରି ନିଜ ସ୍ୱପ୍ନକୁ ପୂରା କରିବାକୁ ସ୍ୱପ୍ନର ନଗରୀ ମୁମ୍ୱାଇ ଆସି ଅଢେଇ ବର୍ଷ ଯାଏଁ ଅଭିନୟ ଶିଖିଲେ । 

ସଫଳ ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ ନେସଲେ ଭଳି କମ୍ପାନୀ ତାଙ୍କୁ ବିଜ୍ଞାପନ ଦେଇଥିଲା । ଛୋଟ ମୋଟ ବିଜ୍ଞାପନ କରୁଥିବା ସୁଶାନ୍ତଙ୍କୁ ଦିନେ ବାଲାଜୀ ଟେଲି ଫିଲ୍ମ ତରଫରୁ ଅଫର ମିଳିଥିଲା । ୨୦୦୮ରେ କିସ ଦେଶ ମୈଁ ହେ ମେରା ଦିଲ ତରଫରୁ ସେ ଟେଲିଭିଜନ ଜଗତରେ ପ୍ରବେଶ କରିଥିଲେ । ହେଲେ ୨୦୦୯ରେ ପବିତ୍ର ରିସ୍ତା ସିରିଏଲ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ବାସ ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଲେ । 

ସୁଶାନ୍ତଙ୍କୁ ଅଭିନୟର ନିଶା ଏମିତି ଥିଲା ଯେ ସେ ୨୦୧୧ରେ ପବିତ୍ର ରିସ୍ତା ସିରିଏଲ ଛାଡି ବିଦେଶ ଚାଲିଯାଇଥିଲେ ଅଭିନୟ ଶିଖିବାକୁ । ବିଦେଶରୁ ଫେରିବା ପରେ ପ୍ରଥମେ କାଇପୋଚେ ଫିଲ୍ମ ଜରିଆରେ ସେ ବଲିଉଡରେ ପ୍ରବେଶ କରିଥିଲେ । ଏହାପରେ ୟଶ ରାଜ ଫିଲ୍ମ ଭଳି ବଡ ବ୍ୟାନରରେ ଶୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏମିତି ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସଫଳତା ଆଣିଥିଲେ । ଆଉ ଯେଉଁଥିରେ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ତାଙ୍କୁ ଲୋକପ୍ରିୟ କରିଥିଲା । 

ଜଣେ ବ୍ୟାଗ୍ରାଉଣ୍ଡ ଡ୍ୟାନ୍ସରରୁ ବଲିଉଡକୁ ଆସିଥିବା ସୁଶାନ୍ତ ୨୦୨୦ ଜୁନ ୨୧ ତାରିଖରେ ସମସ୍ତଙ୍କୁ ପର କରି ଚାଲିଯାଇଥିଲେ । ଯିଏ ଦିନେ କହୁଥିଲେ ଆତ୍ମହତ୍ୟା କରିବା ଜଣେ ଲୁଜରର ପରିଚୟ ସେ ନିଜେ ଜୀବନ ଯୁଦ୍ଧରେ ହାରିଯାଇ ଆତ୍ମହତ୍ୟା କରି ସମସ୍ତଙ୍କୁ ଅବାକ କରିଦେଇଥିଲେ । ଛୋଟ ପରଦାରୁ ବଡ ପରଦା ସବୁଠି ସଫଳତା ହାସଲ କରି ସୁଶାନ୍ତ ଯେ ଏତେ ଜଲଦି ଅଫେରା ରାଇଜକୁ ଚାଲିଯିବେ କେହି କେବେ ବିଶ୍ୱାସ କରିନେଇଥିଲେ ।