କନକ ବ୍ୟୁରୋ :କାରଗିଲ୍ ଯୁଦ୍ଧର ଯୋଦ୍ଧା ବିକ୍ରମ ବାତ୍ରାଙ୍କୁ କିଏ ବା ନ ଜାଣେ ? ସେ ଏମିତି ଜଣେ ବୀର ଯବାନ ଯିଏ କେବଳ ଭାରତରେ ନୁହେଁ ପାକିସ୍ତାନ ସେନା ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥିଲେ । କାରଗିଲ୍ ଯୁଦ୍ଧରେ କ୍ୟାପଟେନ୍ ବିକ୍ରମ ବାତ୍ରା ଅଦମ୍ୟ ସାହସ ଦେଖାଇ ଶତ୍ରୁମାନଙ୍କ ସହ ଲଢିଥିଲେ । କିନ୍ତୁ ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ୍ ତାଙ୍କର ଅଧାବାଟରେ ଅଟକି ଯାଇଥିଲା । ଯୁଦ୍ଧ ସମୟରେ ହିଁ ଭାରତ ନିଜର ଏହି ବୀର ଯବାନଙ୍କୁ ହରାଇଥିଲା । ତେବେ ପରେ ତାଙ୍କୁ ମରଣୋତ୍ତର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ସେହିଭଳି ଜଣେ ବୀର ଯବାନ ଥିଲେ ବିକ୍ରମ ବାତ୍ରା । ଯାହାଙ୍କ ବୀରତ୍ୱର କାହାଣୀ ଆଜି ମଧ୍ୟ ଦେଶ ମନେ ରଖିଛି ।
ହିମାଚଳ ପ୍ରଦେଶର ପାଲମପୁରରେ ଆଜିର ଦିନରେ ଅଥାର୍ତ ୯ ସେପ୍ଟେମ୍ବର ୧୯୭୪ରେ ଜନ୍ମ ନେଇଥିଲେ ଦୁଇ ଜାଆଁଳା ଭାଇ । ଜଣେ ବିକ୍ରମ ଓ ଅନ୍ୟଜଣେ ବିଶାଳ । ପାଠପଢ଼ାରେ ଆଗୁଆ ଥିବା ବିକ୍ରମ ନିଜର ସ୍କୁଲ ଶିକ୍ଷା ପରେ ଚଣ୍ଡିଗଡ ଡିଏଭି କଲେଜରେ ନାମ ଲେଖାଇଥିଲେ । ଆଉ ସେହି ସେ ସମୟରେ ଏନ୍ସିସି ସହ ଯୋଡ଼ି ହୋଇଥିଲେ । ବାସ୍ ଏହିଠାରୁ ସେନା ବାହିନୀରେ ଯୋଗ ଦେବାକୁ ମନ ବଳାଇଥିଲେ ବିକ୍ରମ । ଏପରିକି ବଡ଼ ବଡ଼ ଚାକିରିକୁ ପଛ କରି ଶେଷରେ ୧୯୯୭ରେ ସେନାରେ ଯୋଗ ଦେଇଥିଲେ ବୀର ଯୋଦ୍ଧା । ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ୟାପେଟନ୍ ପଦରେ ବସିଥିଲେ ବିକ୍ରମ । ତେବେ ସେ କ୍ୟାପଟେନ ହେବା ପରେ ଆରମ୍ଭ ହୋଇଥିଲା କାରଗିଲ୍ ଯୁଦ୍ଧ ।
୧୯୯୯ ମସିହାରେ ଯେତେବେଳେ କାରଗିଲ୍ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କ୍ୟାପଟେନ୍ ବିକ୍ରମ ବାତ୍ରା ଜାମ୍ମୁ କାଶ୍ମୀର ରାଇଫଲ୍ସର ୧୩ତମ ବାଟାଲିୟନରେ କ୍ୟାପଟେନ୍ ଭାବେ ନିୟୋଜିତ ଥିଲେ । କାରଗିଲ୍ ଯୁଦ୍ଧରେ ଭାରତର ଏହି ସଂଘର୍ଷକୁ ଅପରେସନ୍ ବିଜୟ ନାଁ ଦିଆଯାଇଥିଲା । ଏହି ଯୁଦ୍ଧରେ ନିଜର ବୀରତ୍ୱ ଓ ସାହସିକତାର ପରିଚୟ ଦେଇଥିଲେ ବିକ୍ରମ । ତାଙ୍କରି ନେତୃତ୍ୱରେ ୧୯ ଜୁନ ୧୯୯୯ରେ ଅନୁପ୍ରବେଶକାରୀଙ୍କ ଦଖଲରେ ଥିବା ପଏଣ୍ଟ ୫୧୪୦ ଛଡାଇ ଆଣିଥିଲେ । ଏହି ପଏଣ୍ଟ ଦଖଲ କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ପଏଣ୍ଟଟି ଉଚ୍ଚରେ ଥିବାରୁ ବେଶ ସହଜରେ ଶତ୍ରୁପକ୍ଷ ଭାରତୀୟ ଯବାନଙ୍କ ଉପରେ ଗୁଳି ବର୍ଷଣ କରୁଥିଲେ । ତେଣୁ ଏହି ପଏଣ୍ଟ ଦଖଲ କରିବା ସହ ଭାରତର ଏହା ସୁରକ୍ଷାକବଚ ଭାବେ ଉଭା ହୋଇଥିଲା । ତେବେ ଏହି ପଏଣ୍ଟ ଦଖଲ କରିବା ପରେ ମଧ୍ୟ ବିକ୍ରମ ଆଉ ଏକ ପଏଣ୍ଟ ୪୮୭୫ ଦଖଲ କରିବାକୁ ପାଦ ବଢାଇଥିଲେ । ମନରେ ଥିଲା ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ । ତେବେ ଏହି ପଏଣ୍ଟ ଦଖଲ କରିବା ବିକ୍ରମଙ୍କ ପାଇଁ ଏତେ ସହଜ ନଥିଲା । କାରଣ ଏହି ପଏଣ୍ଟଟି ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ରହିଥିଲା ଏବଂ ୮୦ ଡିଗ୍ରୀରେ ପଏଣ୍ଟ ଉପରକୁ ଚଢିବାକୁ ପଡୁଥିଲା ।
ଏହି ପଏଣ୍ଟ ଦଖଲ କରିବାକୁ ବିକ୍ରମ ଯେତିକି ଆଗକୁ ଯାଉଥାନ୍ତି ତାଙ୍କର ମୃତ୍ୟୁ ମଧ୍ୟ ସେତିକି ପାଖେଇ ଆସୁଥାଏ । ଏକଥା ହୁଏତ ସେ ଜାଣିନଥିଲେ । ଗୋଟିଏ ମିସନ ସଫଳ ହେଉଥିଲେ ବିକ୍ରମ ଏ ଦିଲ୍ ମାଙ୍ଗେ ମୋର କହି ଯବାନ ମାନଙ୍କ ମନୋବଳ ବୃଦ୍ଧି କରିବା ସହ ଆଗକୁ ବଢିବାକୁ ଉତ୍ସାହିତ କରୁଥିଲେ । ତେବେ ୭ ଜୁଲାଇ ୧୯୯୯ରେ ଯୁଦ୍ଧରେ ଆହତ ହୋଇଥିବା ନିଜ ଟିମର ଜଣେ ଯବାନଙ୍କୁ ରକ୍ଷା କରିବାକୁ ଯାଇ ନିଜର ପ୍ରାଣ ହରାଇଥିଲେ ବିକ୍ରମ । କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସୁରକ୍ଷାକୁ ପ୍ରଥମେ ପ୍ରାଧାନ୍ୟ ଦେଉଥିଲେ କ୍ୟାପେଟନ୍ ବିକ୍ରମ । ତେବେ ବିକ୍ରମ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବେଶ ଲୋକପ୍ରିୟ । ସେଥିପାଇଁ ପାକିସ୍ତାନର ଯବାନ ମାନେ ତାଙ୍କୁ ‘ଶେରଶାହା’ ବୋଲି ଡାକୁଥିଲେ । ଖାଲି ସେତିକି ନୁହେଁ ତାଙ୍କ ଜୀବନ ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି ।