କନକ ବ୍ୟୁରୋ : ସେ ଅକ୍ଷୟ, ତାଙ୍କ ଗୀତ ଅକ୍ଷୟ, ତାଙ୍କ କୃତି ଅକ୍ଷୟ, ତାଙ୍କ ସ୍ମୃତି ବି ଅକ୍ଷୟ... ଅକ୍ଷୟ କେବଳ ଅକ୍ଷୟ ।  ଅକ୍ଷୟ ମହାନ୍ତି ଗୋଟେ ନାଁ ନୁହେଁ, ଗୋଟେ ଆବେଗ, ଗୋଟେ ଆକର୍ଷଣ, ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ । 

Advertisment

ଅକ୍ଷୟ ମହାନ୍ତି... ସୁଖ, ଦୁଃଖ, ଅବସାଦ ସବୁବେଳେ ସେ ସାଙ୍ଗରେ ଥାଆନ୍ତି । ହୃଦୟ ଭାଙ୍ଗିଲେ, ହୃଦୟ ଯୋଡ଼ିଲେ ଭାରି ମନେପଡ଼ନ୍ତି ଅକ୍ଷୟ, ଲୋଡ଼ା ପଡ଼େ ତାଙ୍କ ଗୀତ । ତାଙ୍କ ସ୍ୱର ଶୁଣିଲେ ସତେଜ ହୋଇଯାଏ ସକାଳ, ସଜେଇ ହୁଏ ସଞ୍ଜ । ରାସ୍ତା କଡ଼ର କୃଷ୍ଣଚୂଡ଼ା ହେଉ କି, ଆକାଶରେ ଉଡୁଥିବା ଗୁଡି, କିମ୍ବା ରାସ୍ତାରେ ଗଡୁଥିବା ଗାଡି । ଏମାନେ ତାଙ୍କ ନଜରରେ ଗୋଟେ ଗୋଟେ ଗୀତ । ଯାହା ଦେଖିଲେ, ଯାହା ଅନୁଭବ କଲେ ତାକୁ ସଙ୍ଗୀତରେ ଜୀବନଦାନ ଦେଉଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଖୋକା ଭାଇ ।

ଓଡିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ବେତାଜ ବାଦଶାହ, ସଙ୍ଗୀତ ସାମ୍ରାଜ୍ୟର ଅଜାତଶତ୍ରୁ । ଆମ ଓଡିଶାର ଗୀତ, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକକୁ ନେଇ ତାଙ୍କ ଗୀତକବିତା । ସେଇଥିପାଇଁ ତ ସଙ୍ଗୀତ ଓ ସାହିତ୍ୟର ସେ ହେଉଛନ୍ତି କିମ୍ବଦନ୍ତୀ ପୁରୁଷ । ଆଜି ଏହି କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ଜନ୍ମ ବାର୍ଷିକୀ । ଖୋକା ଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତକୁ ଦେଖାଇଥିଲେ ନୂଆ ଦିଗ । ବୋଧେ ଅକ୍ଷୟ ହିଁ ସଙ୍ଗୀତକୁ ଗୋଟେ ସ୍ତରକୁ ନେଇଥିଲେ ଯେଉଁଠି ଲୋକଙ୍କ ରୁଚିକୁ ସେ ବୁଝିଥିଲେ ଆଉ ଭେଟି ଦେଇଥିଲେ ଅନେକ ମନ ଛୁଆଁ ଗୀତ ।

ସଙ୍ଗୀତର ଶବ୍ଦ ସଂଯୋଜନାରେ ସେ ଥିଲେ ସିଦ୍ଧହସ୍ତ । ଚାବାଲାର ଭାଷା, ରିକ୍ସାବାଲାର ଭାବ, ଛକରେ ସୁନ୍ଦରୀ ଅପେକ୍ଷାରେ ଥିବା କଲେଜ ପଢୁଆ ପିଲାଙ୍କ ମନକୁ ପାଇଲା ପରି ଅତି ଚତୁରତାର ସହ ସେ ସଙ୍ଗୀତ କରୁଥିଲେ । ଗୀତ ରଚନା ହେଉ କି କଣ୍ଠଦାନ ସବୁଥିରେ ସେ ଥିଲେ ପାରଙ୍ଗମ । ୭୫ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଅକ୍ଷୟ ଅଧିକାଶଂ ସିନେମାରେ ନିଜ କଣ୍ଠର ଯାଦୁଗରୀ ମଧ୍ୟ ଦେଖାଇଛନ୍ତି । ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଠା । ଯାହା ଆଜି ବି ଶ୍ରୋତାଙ୍କ ମନକୁ ଛୁଇଁ ପାରୁଛି ।

୧୨ ଅକ୍ଟୋବର ୧୯୩୬ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସଙ୍ଗୀତ ମୁକୁଟ ବିହୀନ ସମ୍ରାଟ । ଷ୍ଟୁଆର୍ଟ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିଥିଲେ ଅକ୍ଷୟ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଏମଏ ପଢିଥିଲେ । ଏହାପରେ ସେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ୧୯୪୮ ମସିହାରେ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଶିଶୁ ଶିଳ୍ପୀ ଭାବେ ସାମିଲ ହୋଇଥିଲେ । ବାସ୍, ଏଇଠୁ ଆରମ୍ଭ ହୋଇଥିଲା ଅକ୍ଷୟଙ୍କ ସଙ୍ଗୀତ ଅଭିଯାନ, ଅକ୍ଷୟ ଯୁଗ...
ସଙ୍ଗୀତର ହାଟରେ ଅନେକ ହିଟ୍ ଗୀତର ପସରା ମେଲାଇ ଶେଷରେ ନଭେମ୍ବର ୧୭, ୨୦୦୧ରେ ସେ ଆଖି ବୁଜିଥିଲେ । ଆଉ ତାପରେ ଶେଷ ହୋଇଥିଲା ଅକ୍ଷୟ ଯୁଗ । ମହାନଦୀ ତୀରରେ ଅସ୍ତ ହୋଇଥିଲା ଗୋଟେ ଉଜ୍ୱଳ ସୂର୍ଯ୍ୟ । ଅକ୍ଷୟ ମହାନ୍ତି ସିନା ଆମ ଗହଣରେ ନାହାନ୍ତି ହେଲେ ଏବେବି ହୃଦୟ ଯେବେ ଭାଙ୍ଗିଯାଏ, ଛାତି ଭିତରେ ଯେବେ ଏକଲାପଣ ରାଜୁତି କରେ ସେବେ ଆପେଆପେ ଓଠରୁ ବାହାରି ଆସେ ହୃଦୟର ଏହି ଶୂନ୍ୟତା ଗୀତ..।

ଏବେବି ପ୍ରେମିକ ଟିଏ ଗୋଟେ ଅଜଣା ପ୍ରେମିକରର ଚାହାଣୀରେ ଚୋରି ହୋଇଗଲେ କି ତା ହସର ହାଟରେ ହଜିଗଲେ ମନେମନେ ଗାଏ ଚନ୍ଦ୍ରମଲ୍ଲୀର ଗୀତ...। ଅକ୍ଷୟ ସିନା ଚାଲିଯାଇଛନ୍ତି ହେଲେ ତାଙ୍କ ସଙ୍ଗୀତର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି । ଅଧ ରାତିରେ ନିଦ ଭାଙ୍ଗିଗଲେ ଅକ୍ଷୟଙ୍କ ଗୀତ ଶୁଆଇଦିଏ, ସକାଳେ ସକାଳେ ତାଙ୍କ ସଙ୍ଗୀତ ଶୁଣିଲେ ଚା କପର ସକାଳ ସତେଜ ସତେଜ ଲାଗେ... ଅକ୍ଷୟ ଅମର, ଅକ୍ଷୟ ଅଭୁଲା, ସେ ଥିଲେ, ଅଛନ୍ତି, ରହିଥିବେ... ମିସ୍ ୟୁ ଖୋକା ଭାଇ ...।