କନକ ବ୍ୟୁରୋ : ବାତ୍ୟା ବନ୍ୟା ଆସିଲେ, ଆମେ ପ୍ରସ୍ତୁତ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ନଦୀ ଓ ସମୁଦ୍ର ଘେରି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସ୍ଥିତି ସମ୍ପୁର୍ଣ୍ଣ ଓଲଟା । ରିଲିଫ୍ ଅପରେସନ୍ ପାଇଁ ଯୋଗାଇ ଦିଆଯାଇଥିବା ବୋଟ୍ ଏବେ ଅଳିଆଗଦାରେ ପଡ଼ିଛି । ବନ୍ୟାବେଳେ ପାଣିରେ ଚାଲିବା ଦୂରର କଥା, ଆଜି ଯାଏଁ ଟ୍ରାଏଲ୍ ବି ହୋଇନି । ଅନ୍ୟପଟେ ଏହି ବୋଟ ଚଳାଇବା ପାଇଁ ନିଯୁକ୍ତି ପାଇଥିବା ୧୬ଜଣ କର୍ମଚାରୀ ବି ଲାପତା । କର୍ମଚାରୀମାନେ ଜଏନ କରିବା ପରଠୁଁ କେଉଁଠି ଅଛନ୍ତି, କଣ କରୁଛନ୍ତି, ତାର ଖବର ବ୍ଲକ କି ତହସିଲ ପାଖରେ ନାହିଁ ।

Advertisment

ନଦୀନାଳ ଘେରା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର । ବାତ୍ୟା, ବନ୍ୟା ପ୍ରବଣ ଅଂଚଳ । ବଙ୍ଗୋପସାଗରରେ ଲଘୁଚାପ ହେଲେ ସଚିବାଳୟରେ ରାଜନଗରର କଥା ଆଲୋଚନା ହୁଏ । କିନ୍ତୁ ବାତ୍ୟା ବନ୍ୟା ବେଳେ ଲୋକଙ୍କ ସୁରକ୍ଷା ପାଇଁ ସରକାର ଯୋଗାଇ ଦେଇଥିବା ବୋଟ୍ ଏଠି ଖତ ଖାଉଛି । ପ୍ରାକୃତିକ ବିପର୍ୟ୍ୟୟ ବେଳେ ବିପନ୍ନଙ୍କୁ ଉଦ୍ଧାର ଓ ରିଲିଫ୍ ପାଇଁ ରାଜନଗରରେ ଥିବା ଲଞ୍ଚ ଅଞ୍ଚଳ । ୨୦୧୫ରେ ରାଜନଗର ତହିସିଲକୁ ୫ଟି ଓ ବ୍ଲକକୁ ୪ଟି ଫାଇବର ବୋଟ୍ ଦିଆଯାଇଥିଲା । ଅର୍ଥାତ୍ ବ୍ଲକ ଓ ତହସିଲ ପାଖରେ ୯ଟି ବୋଟ ରହିଛି । ଏହାର ପରିଚାଳନା ପାଇଁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ହେଲେ ଦୁଃଖର କଥା, ଦିନଟିଏ ବି ଏହି ବୋଟଗୁଡିକ ବ୍ୟବହାର ହୋଇନି ।

ରାଜନଗର ବିଡିଓ କହିଛନ୍ତି, ବୋଟ ପାଇଁ ଜଣେ ଖଲାସୀ ସ୍ଥାୟୀ ନିଯୁକ୍ତି ପାଇଛନ୍ତି । ଏହାକୁ ଚଲାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଜୁଲାଇରୁ ଡିସେମ୍ବର ୬ ମାସ ପାଇଁ ଡ୍ରାଇଭର ଓ ଖଲାସି ନିଯୁକ୍ତି ଦିଆଯାଏ । ବ୍ଲକ ଓ ତହସିଲରେ ୯ଟି ବୋଟ ପାଇଁ ମୋଟ ୧୮ ଜଣ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଅଛନ୍ତି । ପ୍ରତ୍ୟେକ କର୍ମଚାରୀ ୧୦ ହଜାର ଟଙ୍କା ଲେଖାଏଁ ଦରମା ପାଉଛନ୍ତି । ଏଇ ନିକଟରେ ପ୍ରବଳ ବର୍ଷ ଫଳରେ ମାଲକାନଗିରି, କୋରାପୁଟ ଜିଲ୍ଲାର ସ୍ଥିତି ଦେଖି ଛାନିଆ ରାଜନଗର ଲୋକ ।