କନକ ବ୍ୟୁରୋ: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପରେ ବର୍ଷା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦୁଃଖ ବଢାଇଛି । ମଧ୍ୟପ୍ରଦେଶର ୨୦ଟି ସହରରେ ପ୍ରବଳ ବର୍ଷା ହୋଇଛି । ମଣ୍ଡଲା, ସେଓନି ଏବଂ ବାଲାଘାଟ ଜିଲ୍ଲାଗୁଡ଼ିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜବଲପୁରରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଏକ ଟ୍ରକ୍ ପାଣିରେ ବୁଡ଼ି ଯାଇଛି । ମଣ୍ଡଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜୁନ୍ ୧ ତାରିଖରୁ ରାଜସ୍ଥାନରେ ୧୬୭.୧ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ଅପେକ୍ଷା ୧୩୭% ଅଧିକ । ନିରନ୍ତର ମୌସୁମୀ ସକ୍ରିୟ ଥିବାରୁ, ବର୍ତ୍ତମାନ ଗୋଟିଏ ବି ଜିଲ୍ଲା ଶୁଖିଲା ନାହିଁ । ଯେତେବେଳେ ଗତ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ୧୪ଟି ଜିଲ୍ଲା ମରୁଡ଼ି କବଳରେ ଥିଲା ।
ଜୁନ୍ ୧ ତାରିଖରୁ ୪ ଯାଏ ରାଜସ୍ଥାନରେ ୧୬୭.୧ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ଅପେକ୍ଷା ୧୩୭% ଅଧିକ । ମୌସୁମୀ ସକ୍ରିୟ ଥିବାରୁ, ବର୍ତ୍ତମାନ ଗୋଟିଏ ବି ଜିଲ୍ଲା ଶୁଖିଲା ନାହିଁ । ୨୦୨୪ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ମରୁଡ଼ି ପଡିଥିଲା ହେଲେ ଏବେ ଚିତ୍ର ଭିନ୍ନ । ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ବାରାଣସୀର ରତ୍ନେଶ୍ୱର ମହାଦେବ ମନ୍ଦିରର ଅଧାରୁ ଅଧିକ ଅଂଶ ପାଣିରେ ବୁଡ଼ି ରହିଛି । ଗଙ୍ଗାର ଜଳସ୍ତର ୪ ଦିନ ମଧ୍ୟରେ ୧୫ ଫୁଟ ବୃଦ୍ଧି ପାଇଛି । ଶୁକ୍ରବାର ରାତି ୧୧ଟା ସୁଦ୍ଧା ଗଙ୍ଗାନଦୀର ଜଳସ୍ତର ୬୨.୬୩ ମିଟର ରେକର୍ଡ କରାଯାଇଛି ।
ଟେକ୍ସାସର ହିଲ୍ କଣ୍ଟ୍ରିରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩ରୁ ଅଧିକ ଝିଅ ନିଖୋଜ ଅଛନ୍ତି । ଶୁକ୍ରବାର ଗୁଆଡାଲୁପେ ନଦୀରେ ହଠାତ୍ ବନ୍ୟା ଆସିବା ଯୋଗୁଁ କେର୍ କାଉଣ୍ଟିରେ ବଡ ଅଘଟଣ ଘଟିଛି । ଏକ ଗ୍ରୀଷ୍ମକାଳୀନ ଶିବିରରୁ ପ୍ରାୟ ୭୫୦ ଜଣ ଝିଅଙ୍କ ମଧ୍ୟରୁ ୨୩ରୁ ୨୫ ଜଣ ନିଖୋଜ ଅଛନ୍ତି । ରାତିରେ ପ୍ରବଳ ବର୍ଷାରେ ୧୦ରୁ ୧୨ ଇଞ୍ଚ ଜଳସ୍ତର ବଢିଥିଲା, ଯାହା କେର କାଉଣ୍ଟିର ବାର୍ଷିକ ହାରାହାରି ବର୍ଷାର ଏକ ତୃତୀୟାଂଶ । କେର୍ କାଉଣ୍ଟିରେ ଉଦ୍ଧାରକାରୀ ଦଳ ହେଲିକପ୍ଟର, ଡ୍ରୋନ୍ ଓ ନୌକା ସାହାଯ୍ୟରେ ନିଖୋଜଙ୍କୁ ଖୋଜୁଛି । ଟେକ୍ସାସ ଗଭର୍ଣ୍ଣର ଗ୍ରେଗ ଆବୋଟ୍ ବିପର୍ଯ୍ୟୟ ଘୋଷଣା କରି ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ୍ବ କରିଛନ୍ତି । ଜାତୀୟ ପାଣିପାଗ ଅନୁଯାୟୀ, ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅଧିକ ବର୍ଷାର ସମ୍ଭାବନା ରହିଛି ଯାହା ସ୍ଥିତିକୁ ଆହୁରି ଜଟିଳ କରିପାରେ ।
ସେପଟେ ଚୀନର ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରୀ ରହିଛି । ବନ୍ୟା ଫଳରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନର ପାଣିପାଗ ବିଭାଗ ଅନୁଯାୟୀ, ହେବେଇ ସମେତ ବେଜିଂ ଓ ତିଆନଜିନ୍ ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବରୁ ହେବେଇରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି, ଅନେକ ଗାଁ ଜଳମଗ୍ନ ହୋଇଛି ଏବଂ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ପାଣିପାଗ ବିଭାଗ ଚେତାବନୀ ଦେଇଛି, ଅଧିକ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ ଯାହା ସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ । ଚୀନ ଗଣମାଧ୍ୟମ ଅନୁଯାୟୀ, ହେନାନ ପ୍ରଦେଶର ତାଇପିଙ୍ଗ୍ ସହରକୁ ୧୦୦୦ ରୁ ଅଧିକ ଉଦ୍ଧାର କର୍ମୀଙ୍କୁ ପଠାଯାଇଛି । ନଦୀର ବଦ୍ଧ ଭାଙ୍ଗିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ନିଖୋଜ ହୋଇଛନ୍ତି ।