କନକ ବ୍ୟୁରୋ: ୨୦୧୬ରେ କଳାହାଣ୍ଡିର ଦାନ ମାଝୀ ଘଟଣା ସାରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମହାପ୍ରୟାଣ ଗାଡ଼ି ନ ମିଳିବାରୁ ନିଜ ସ୍ତ୍ରୀଙ୍କୁ ସେ ୧୦ କିଲୋମିଟର କାନ୍ଧରେ ବୋହି ନେଇଥିଲେ । ଏବେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରୁ ଆସିଛି ଠିକ୍ ସେହିଭଳି ଏକ ଲଜ୍ଜାଜନକ ଘଟଣା । ମହାପ୍ରୟାଣ ଗାଡ଼ି କିମ୍ୱା ଅନ୍ୟ କୌଣସି ଗାଡ଼ି ସୁବିଧା ନହେବା ଯୋଗୁଁ ମୃତ ଗର୍ଭବତୀ ମହିଳାଙ୍କ ମୃତଦେହକୁ ୮ କିଲୋମିଟର କାନ୍ଧରେ ବୋହି ନେଇଛନ୍ତି ସମ୍ପର୍କୀୟ ।

Advertisment

ବର୍ତ୍ତମାନ ସମୟରେ ମେଡିକାଲରେ ସବୁ ପ୍ରକାରର ସୁବିଧା ଦିଆଗଲାଣି, ମେଡିକାଲ ବାହାରେ ଆମ୍ବୁଲାନ୍ସ ବି ଦିନରାତି ରହୁଛି । କିନ୍ତୁ ଆଜିର ଏହି ଘଟଣା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି ଗାଡ଼ିର ବ୍ୟବସ୍ଥା କରାନଯିବା ଫଳରେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହିବାକୁ ପଡ଼ିଥିବା ପରିବାର ଲୋକଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ମିଳିଥିବା ସୂଚନା  ମୁତାବକ, ମୃତ ଗର୍ଭବତୀ ମହିଳା ଜଣଙ୍କ ହେଲେ କାଜୁରି ପାଦେରୀ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୁନିମା ପ୍ରଧାନ । ଆଉ ଡାକ୍ତରଙ୍କ ଦାୟିତ୍ବହୀନ ଚିକିତ୍ସା ଯୋଗୁଁ  ଗର୍ଭବତୀ ମହିଳାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର।