କନକ ବ୍ୟୁରୋ : ଦରିଦ୍ର୍ୟ ସବୁ କିଛି ଛଡ଼ାଇ ନିଏ । ପେଟରୁ ଭୋକ , ଓଠରୁ ହସ ସବୁକିଛି । ଦି ମୁଠା ଦାନା ସଂଗ୍ରହ କରିବା କଷ୍ଟକର ହୋଇପଡ଼େ । ଭଲରେ ବଞ୍ଚିବା ସ୍ବପ୍ନ ପାଲଟିଯାଏ । ଆଉ ବେଳେ ବେଳେ ଛାତିରେ ପଥର ରଖି ନିଜ ରକ୍ତ ସମ୍ପର୍କୀୟକୁ ଅନ୍ୟ ହାତକୁ ଟେକି ଦେବାକୁ ପଡେ । ମୟୂରଭଞ୍ଜ ବଳଦିଆର ମନ୍ଦ ହେମ୍ବ୍ରମଙ୍କ କାହାଣୀ ଠିକ୍ ସେମିତି । ପରିଣତ ବୟସରେ ଗରିବୀ ସହ ଯୁଦ୍ଧ କରି କରି ହାର ମାନିବା ପରେ ଶେଷରେ ନିଜ ୫ ବର୍ଷର ନାତିକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ଜେଜେମା ମନ୍ଦ । ୫ ବର୍ଷ ପୂର୍ବରୁ କୁନି ପୁଅକୁ ଛାଡି ମା ଆରପାରିକୁ ଚାଲିଗଲା, ବାପା ନୂଆ ସଂସାର ଗଢିବାକୁ ଯାଇ ପୁଅକୁ ପର କରିଦେଲା । ଆଉ ସେବେଠାରୁ ନାତିକୁ ନେଇ ବାରଦୁଆର ହେଉଥିଲେ ମନ୍ଦ । ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ କରୁଥିଲେ ସଂଘର୍ଷ । କିଏ ଦୟା ଦେଖାଇଲେ ପେଟକୁ ଦାନା ମିଳୁଥିଲା । କିନ୍ତୁ ଏମିତି କେତେଦିନ ବା ଚାଲିଥାନ୍ତା । ଶେଷରେ ନାତିକୁ ଦାରିଦ୍ର୍ୟ କଷଣରୁ ମୁକ୍ତି ଦେବାକୁ ଅନ୍ୟ ହାତରେ ଟେକି ଦେଇଥିଲେ ଜେଜେମା । ଆଉ ସେ ରକ୍ତ ସମ୍ପର୍କର ମୂଲ୍ୟ ଥିଲା ମାତ୍ର ୨୦୦ ଟଙ୍କା ।
ଜେଜେମା ମନ୍ଦ ୨୦୦ ଟଙ୍କାରେ ନାତିକୁ ଅନ୍ୟ ହାତକୁ ଟେକିଦେଇଥିବା ବେଳେ ଆପଣାଇ ନେଇଛନ୍ତି ନୀଳଗିରି ପଦ୍ମଲାଭପୁର ଗାଁର କାର୍ତ୍ତିକ ପ୍ରଧାନ । ଦୀର୍ଘ ଦିନ ହେବ ୫ ବର୍ଷର ଶିଶୁକୁ ଧରି ବୁଢୀ ମା ବାରଦୁଆର ହେଉଥିବାର ଦେଖୁଥିଲେ କାର୍ତ୍ତିକ । ଅନେକ ସମୟରେ ସାଧ୍ୟ ମତେ ସହାୟତା ମଧ୍ୟ କରୁଥିଲେ । କିନ୍ତୁ ସହାୟତା ବଦଳରେ ନାତିକୁ ସବୁଦିନ ପାଇଁ କୋଳେଇ ନେବାକୁ କହିଥିଲେ ଜେଜେମା । ଗତ ସୋମବାର ରାତିରେ ୫ ବର୍ଷର ଶିଶୁକୁ ନିଜ ଘରକୁ ନେଇ ଆସିଥିଲେ କାର୍ତ୍ତିକ । ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ମନ୍ଦଙ୍କ ଭଳି ଗରିବ, ବେସାହାରା ବୃଦ୍ଧାଙ୍କ ପାଖରେ କାହିଁକି ପହଞ୍ଚିପାରୁନି ସରକାରଙ୍କ ଯୋଜନା? ରେକର୍ଡ ଆବାସ ବଣ୍ଟନ ନେଇ ଡିଣ୍ଡିମ ପିଟାଯାଉଥିବା ବେଳେ କାହିଁକି ମନ୍ଦଙ୍କୁ ପରପିଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି?