କନକ ବ୍ୟୁରୋ : ସମ୍ପର୍କରେ ରକ୍ତର ଛିଟା । ବଡ଼ ଭାଇର ମମତା ହାର ମାନିଲା ଜମି ବାଡିକୁ ନେଇ । ଶେଷରେ ସାମାନ୍ୟ ଜମି ପାଇ ଭାତୃ ହନ୍ତା ପାଲଟିଲା ରାକ୍ଷସ ଭାଇ । ଅତି ନିର୍ମମ ଭାବେ ଭାଇକୁ ଗଲା କାଟି ହତ୍ୟା କରିବା ପରେ ମା’ ତୁଲ୍ୟ ବଡ଼ ଭାଉଜକୁ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରିବା ପରେ ନାକ ଚିପି ପିଆଇଲା ବିଷ । ଫଳରେ ଗୁରୁତର ହୋଇ ପଡିଥିବା ଭାଉଜରବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଗଞ୍ଜାମ ଜିଲ୍ଲା ଆସିକା ଥାନା ସମାଇଗୁଡ଼ାରେ ଘଟିଛି ଏପରି ଅଭାବନୀୟ ଘଟଣା । ସବୁଦିନ ପରି ଚାଷ ଜମିକୁ କାମ କରିବାକୁ ଯାଇଥିଲେ ଦୁଇ ଭାଇ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ସାମାନ୍ୟ ବଚସା ଓ ପରେ ଏହା ଉଗ୍ରରୂପ ନେଇଥିଲା । ବଡ଼ ଭାଇ ରାଜୁ ପାତ୍ରଙ୍କ ପତ୍ନୀଙ୍କୁ ଜୋର ଜଦରଦସ୍ତି ବିଷ ପିଆଇଦେଇଥିଲା ସାନ ଭାଇ ଭବାନୀ । ପତ୍ନୀଙ୍କୁ ବଞ୍ଚାଇବାକୁ ଆସିଥିବା ବଡ଼ଭାଇର ଗଳା କାଟି ଦେଇଥିଲା ସାନ ଭାଇ । ଘଟଣାସ୍ଥଳରେ ରାଜୁ ପାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଛନ୍ତି ସ୍ତ୍ରୀ ମଲା ପାତ୍ର ।
ଖବର ପାଇ ଆସିକା ପୁଲିସ ଓ କୋଟିନଡା ଥାନା ଅଧିକାରୀ ପଂହଚି ତଦନ୍ତ କରିବା ସହ ଅଭିଯୁକ୍ତ ସାନ ଭାଇକୁ ଥାନାରେ ଅଟକ ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଏପଟେ ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି ।