କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଦୀର୍ଘ ୨୪ବର୍ଷ ଧରି ବିଜେଡି- କଂଗ୍ରେସ ପରସ୍ପର ବିରୋଧରେ ଲଢ଼େଇ କରି ଆସୁଥିଲେ। କିନ୍ତୁ ନିର୍ବାଚନ ପରେ ଧୀରେ ଧୀରେ ବଦଳୁଛି ରାଜ୍ୟର ରାଜନୈତିକ ଚିତ୍ର। କଂଗ୍ରେସ ଏବେ ବିଜେଡି ଛାଡ଼ି ବିଜେପି ବିରୋଧରେ ଲଢ଼େଇକୁ ଜୋରଦାର କରିଛି। ବିଜେଡି ବି କଂଗ୍ରେସ ବିରୋଧରେ ଆଭିମୁଖ୍ୟ ବଦଳାଇବା ଭଳି ଲାଗୁଛି।
ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହେଁ କି କେହି କାହାର ମିତ୍ର ନୁହେଁ। ଏବେ ଓଡ଼ିଶା ରାଜନୀତିର ହାୱା କିଛି ଭିନ୍ନ ଦିଗରେ ବହିବା ଆରମ୍ଭ କରିଛି। ସରକାରରେ ଯେତେବେଳେ ବିଜେପି ବସିଛି, ସେତେବେଳେ ପଦ୍ମକୁ ଶାସନ ଗାଦିରୁ ହଟାଇବାକୁ ହାତ ଆଉ ଶଂଖ ଏକାଠି ହେବା ନେଇ ଚର୍ଚ୍ଚା ହେଉଛି। ବିଜେପି ସରକାର ବିରୋଧରେ ଅନାସ୍ଥା ଆଣି ଏକାଠି ହେବାକୁ ଭକ୍ତଙ୍କ ଆହ୍ବାନ ଏହି ଚର୍ଚ୍ଚାକୁ ବଳ ଦେଇଛି। ବିଜେଡି ବି ପୂର୍ବଭଳି ଆଉ ସମଦୂରତା କଥା ଦୋହରାଉନି। ବରଂ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ପଛରେ ରହି କଂଗ୍ରେସକୁ ସମର୍ଥନ ଦେଉଥିବା ଆଲୋଚନା ହେଉଛି। ଦଳର ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ନେତାମାନେ ବି ଦ୍ବନ୍ଦ୍ବରେ ପଡ଼ିଲେଣି।
୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ବିରୋଧରେ ଲଢ଼େଇ କରି ଆସୁଥିଲା କଂଗ୍ରେସ। ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ରହିଥିଲେ ବି କେନ୍ଦ୍ର ସହ ସମ୍ପର୍କ ଯୋଗୁଁ ବିଜେଡି ସରକାର ଅକଳରେ ପଡୁନଥିଲା। ଆଉ ସରକାର ବଦଳିବା ପରେ ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ପ୍ରଭାବୀ ଢଙ୍ଗରେ ବିରୋଧ କରୁନାହିଁ। ଯାହାର ଫାଇଦା ନେଉଛି କଂଗ୍ରେସ। ଏବେ ପିସିସି ସଭାପତି ଅନାସ୍ଥାର ଗୁଗଲି ଫୋପାଡ଼ି ନୂଆ ଗୋଟି ଚଳାଇଛନ୍ତି। ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଶଂଖ ଓ ପଦ୍ମ ଘୋଇ ଖୋଳାଖେଳି ହେବେ। ଏଥିରୁ କଂଗ୍ରେସ ଫାଇଦାରେ ରହିବ। ଯଦି ବିଜେଡି ଅନାସ୍ଥା ପ୍ରସ୍ତାବ ନଆଣେ ତାହେଲେ କଂଗ୍ରେସ ହିଁ ନିଜକୁ ମୁଖ୍ୟ ବିରୋଧୀ ଦଳ ବୋଲି କହିବାକୁ ସୁଯୋଗ ପାଇବ।
ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାରୁ ଦିଲ୍ଲୀ ଉପରେ ନଜର ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିଜେପି ସପକ୍ଷରେ ଯିବ, ନା ବିପକ୍ଷରେ ଯିବ କିମ୍ବା ନିରବ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।