କନକ ବ୍ୟୁରୋ: ପାଟିରେ ଓଡିଆ ଫିଲ୍ମ ଗୀତ, ମୁହଁରେ ମନଖୋଲା ହସ। ହାତରେ ପାମ୍ପଡ ଡାଲା। ଏମିତି ଚାଲି ଚାଲି କେତେ ଦୂର ଚାଲିଯାଆନ୍ତି ଜଣାପଡେନି। ଚାଲୁ ଚାଲୁ ପାମ୍ପଡ ତକ ବିକ୍ରି ହୋଇଯାଏ , ଖୁସିରେ ପେଟରେ ବି ପୁରିଯାଏ। ଆଉ କ’ଣ ଦରକାର।
ଧଳା ସାର୍ଟକୁ ହାଫ୍ ପ୍ୟାଣ୍ଟ। ଗୋଡରେ କଳା ସକ୍ସକୁ ସାଣ୍ଡାଲ । ପୁରା ମଜାଦାର ଚେହେରାକୁ ବିନ୍ଦାସ ମିଞ୍ଜାସ। ଏମିତି ଲୋକେ ଆଜି ଦିନରେ ମିଳିବା ଭାରି କଷ୍ଟ । ସମସ୍ତଙ୍କୁ ମଜା ମଜା କଥା କହି ହାତକୁ ପାମ୍ପଡ ବଢାଇ ଦିଅନ୍ତି। ଗୋଟିଏ ଖାଇ ଆଉ କେହି ଖାଲିରେ ଆଉ ଗୋଟେ ପାମ୍ପଡ ମାଗିଲେ ବି ମନା କରନ୍ତିନି । ବେଳେ ବେଳେ ପିଲାଙ୍କୁ ତ ମାଗଣାରେ ପାମ୍ପଡ ଖାଇବାକୁ ଦିଅନ୍ତି । ତାଙ୍କ କହିବା କଥା, ତାଙ୍କ ପାମ୍ପଡ ଖାଇ କେହି ଖୁସି ହୁଅନ୍ତି ଏତିକି ତାଙ୍କ ଇଚ୍ଛା ତେଣିକି ଠାକୁରଙ୍କ ଇଚ୍ଛାରୁ ଯାହା ଯେତିକି ମିଳୁଛି ସେଥିରେ ତାଙ୍କ ପେଟପାଟଣା ଚଳିଯାଉଛି। ଆଉ କଣ ଦରକାର। ଭାରି ନିଆାରା ମଣିଷ ଚକ୍ରଧର। ସମସ୍ତଙ୍କୁ ଭଲପାଇବା ତାଙ୍କ ଗୋଟେ ଖାସ୍ ଗୁଣ । ତେଣିକି ତାଙ୍କୁ କେହି ଭଲ ପାଉ କି ନପାଉ, ସେଥିରେ ତାଙ୍କର କିଛି ପରବାୟ ନାହିଁ। ସେ ଖୁସ୍ ତ ସବୁ ଖୁସ୍।
ପାମ୍ପଡ ମ୍ୟାନ ଭାବେ ଅତି ପରିଚିତ ଚକ୍ରଧର ରଣା । ଘର ବାରିପଦା ଉଦଳା ଖଲଡି ଗାଁ । ତାଙ୍କ ହାତରେ ଏ ପାମ୍ପଡର ପସରାର କାହାଣୀ ଦୀର୍ଘ ୫୦ ବର୍ଷର । ଖୁବ କମ ବୟସରୁ ପରିବାର ପାଇଁ ଘରୁ ଗୋଡ କାଢିଲେ , ପାମ୍ପଡ ବେପାର ଆରମ୍ଭ କରିଥିଲେ। ସେତେବେଳେ କଲିକତାରୁ ପାମ୍ପଡ ଆଣି ଉଦଳାରେ ପାମ୍ପଡ ବେପାର ଆରମ୍ଭ କରିଥିଲେ। ସେ ସମୟରେ ପାମ୍ପଡ ଗୋଟା ୫ ପଇସାରୁ ଆଜି ଆସି ୧୦ ଟଙ୍କାରେ ପହଞ୍ଚିଛି । ୟା ଭିତରେ ଜୀବନ ରଙ୍ଗ ବି ବଦଳାଇଛି। ବଞ୍ଚିବା ସହଜ ହୋଇଛି । ହେଲେ ବଦଳିନି ଚକ୍ରଧରଙ୍କ ପାମ୍ପଡ ବିକା । ଇଏ ତାଙ୍କର ପାମ୍ପଡ ପସରା ତ ନୁହେଁ ତାଙ୍କ ଖୁସିର ପସରା । ଯେଉଁ ଖୁସିକୁ ସେ କହିବା ମୁସ୍କିଲ।
ବାଇଟ : ସ୍ଥାନୀୟ ବାସିନ୍ଦା
ଏ ପାମ୍ପଡ ପସରା ତାଙ୍କ ଜୀବନକୁ ଖୁସିରେ ଭରି ଦେଇଛି । ସକାଳ, ୭ଟାରୁ ପାମ୍ପଡ ଡାଲା ଧରି ଘରୁ ବାହାରନ୍ତି ଚକ୍ରଧର। ଉଦଳା ବଜାରରୁ ଆରମ୍ଭ କରି କୋର୍ଟ କଚେରୀ, ବଜାର ଘାଟ, ଗଳିକନ୍ଦି ସବୁଆଡେ ବୁଲିଆସନ୍ତି। ଚାଲି ଚାଲି ସେ ପାଖାପଖି ୩୦ରୁ ୪୦ କିଲୋମିଟର ପଳାନ୍ତି। ହେଲେ କେବେ ତାଙ୍କ ପାଟିରୁ ଉଫ୍ ବୋଲି ବାହାରେନି। ସବୁବେଳେ ମୁହଁରେ ହସ ଫୁଟୁଥାଏ। ପାଟିରୁ ଅନବରତ ଗୀତ ଛୁଟୁଥାଏ। ଆଉ ତାଙ୍କର ମଜାଳିଆ ଡାକରେ ତ ଘରୁ ବାହାରି ଆସି ଲୋକେ ତାଙ୍କ ପାମ୍ପଡ କିଣିବାକୁ ମନ କରନ୍ତି।
ପାମ୍ପଡ ବିକିବା ଆଳରେ କେତେ ବଡ ବଡ ଗୁମର କହି ଦେଉଛନ୍ତି ଚକ୍ରଧର । ଦିଲ ଖୁସ୍ ରହିଲେ , ଆଉ ଚାଲିଲେ ଦେହ ମନ ସବୁ ସୁସ୍ଥ ରହିବ , ବଇଦ ପାଖ ମାଡିବନି। ଚକ୍ରଧର ମାଗଣାରେ ଦେଉଥିବା ଏ ଟିପ୍ସ ସମସ୍ତଙ୍କ ପାଇଁ ମୂଲ୍ୟବାନ୍। ସତରେ ଆଜିକା ସମାଜରେ ଚ୍ରକଧରଙ୍କ ଭଳି ଜଣେ ଭଲ ମଣିଷ ସତରେ ଭାରି ଜରୁରୀ ମନେ ହୁଅନ୍ତି।
ଉଦଳାରୁ ଅଭିଜିତ୍ ବେହେରାଙ୍କ ରିପୋର୍ଟ- କନକ ନ୍ୟଜ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/25/BXWw1YNvTI757ZQcp95s.jpg)