କନକ ବ୍ୟୁରୋ :ଦିଲ୍ଲୀରୁ ହଟିବ ବସ୍ତି ଯୁଗ । ତୁମେ ଶୀଶମହଲ ନିର୍ମାଣ କରାଇଲ, ଆମେ ଗରିବଙ୍କ ପାଇଁ ଘର ନିର୍ମାଣ କରିବୁ । ଆମେ ବସ୍ତି ବାସିନ୍ଦାଙ୍କ ପାଇଁ ଶୌଚାଳୟ ଏବଂ ସ୍ନାନାଗାର ନିର୍ମାଣ କରିବୁ । ବଜେଟରେ ବଡ ଘୋଷଣା କରିଛନ୍ତି ରେଖା ଗୁପ୍ତା ସରକାର । ଏଥିପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିଛନ୍ତି ଦିଲ୍ଲୀ ସରକାର । ବଜେଟରେ ବସ୍ତି ଏବଂ ଜେଜେ କଲୋନିରେ ରହୁଥିବା ଲୋକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ନୂଆ ସରକାର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାଙ୍କ ପାଇଁ ବଡ ଘୋଷଣା କରି କହିଛନ୍ତି, ଦିଲ୍ଲୀର ଏକ ବଡ଼ ଅଂଶ ଏବେ ବି ବସ୍ତିରେ ବାସ କରନ୍ତି । ପୂର୍ବରୁ ବଜେଟ୍ ରଖାଯାଇଥିଲା, କିନ୍ତୁ ତାହା ଖର୍ଚ୍ଚ ହେଉନଥିଲା । ବସ୍ତି ଏବଂ ଜେଜେ କଲୋନୀରେ ସୁବିଧା ଯୋଗାଇବା ପାଇଁ ୬୯୬ କୋଟି ଟଙ୍କା ଆବଣ୍ଟନ ହେବାକୁ ଯାଉଛି ।
ଆପକୁ କଟାକ୍ଷ କରି ସେ କହିଛନ୍ତି, ଆପର ନେତାମାନେ କହୁଥିଲେ ବିଜେପି ଆସିଲେ ବସ୍ତି ଭାଙ୍ଗିଦେବ । ବସ୍ତିବାସିନ୍ଦାଙ୍କ ଘର ଛଡାଇନେବ । କିନ୍ତୁ ଆମେ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛୁ । ଆମେ ସେମାନଙ୍କୁ କହିବାକୁ ଚାହୁଁଛୁ ଯେ ଆମେ ବସ୍ତିବାସିନ୍ଦାଙ୍କ ପାଇଁ ୧୫୭ ପ୍ରତିଶତ ଅଧିକ ବଜେଟର ବ୍ୟୟବରାଦ କରିଛୁ । ପୂର୍ବ ସରକାର ଯୋଜନାଗୁଡ଼ିକ ଅପେକ୍ଷା ଯୋଜନାଗୁଡ଼ିକର ବିଜ୍ଞାପନରେ ଅଧିକ ଖର୍ଚ୍ଚ କରିଥିଲେ । କିନ୍ତୁ ଆମର ସ୍ୱପ୍ନ, ଏକ ସମୃଦ୍ଧ ଏବଂ ସଶକ୍ତ ଦିଲ୍ଲୀ ଗଠନ କରିବା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀକୁ କିଛି ମିଳିପାରିନଥିଲା । କୌଣସି ଗରିବ ଲୋକ ଆବାସ ଯୋଜନାରୁ ଉପକୃତ ହୋଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଯେପରି ଗରିବ ଲୋକମାନେ ଏଥିରୁ ଲାଭ ପାଇପାରିବେ ସେଥିପାଇଁ ଆମ ସରକାର ଏହି ଯୋଜନାକୁ ଲାଗୁ କରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।