କନକ ବ୍ୟୁରୋ: ସରକାର ନିୟମ କଲେ, ପେଟ୍ରୋଲ ପମ୍ପରେ ନିୟମର ଧଜିଆ ଉଡିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପରେ କଠୋର ହୋଇଛନ୍ତି ସରକାର । ସିଧାସିଧା କହିଛନ୍ତି, ଏଥର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲିୟମ ଉତ୍ପାଦ ବିକ୍ରି କିମ୍ବା ପରିବହନ କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । 

Advertisment

ନିୟମ ହୋଇଛି, ମାନିବାକୁ ବାଧ୍ୟ । ନିୟମ ନ ମାନିଲେ ପଡିବ ସରକାରୀ ଛାଟ । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଡିଜେଲ ବିକ୍ରିକୁ ନେଇ କଡା ଆଭିମୁଖ୍ୟ ଆପଣାଇଛନ୍ତି ସରକାର । ଚେତାଇ ଦେଇ କହିଛନ୍ତି, ନିୟମ ଉଲ୍ଲଂଘନକୁ ଆଉ ବରଦାସ୍ତ କରାଯିବନି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । 

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲିୟମ ଉତ୍ପାଦର ପରିବହନ, ଯୋଗାଣ ଓ ବିକ୍ରି ନିଷେଧ
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରାଗଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ସମସ୍ତ ଇନ୍ଧନ ଯୋଗାଣ କେନ୍ଦ୍ର ଓ ପେଟ୍ରୋଲିୟମ ଡିଲରଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ
ପେଟ୍ରୋଲିୟମ ଉତ୍ପାଦ ବିକ୍ରି ସ୍ଥାନରେ ବୋର୍ଡ ଲଗାଇ ସତର୍କ କରିବେ 

ସରକାର ନିୟମ କଲେ । ହେଲେ ଖୋଦ୍ ରାଜଧାନୀରେ ସରକାରଙ୍କ ପେଟ୍ରୋଲ ନିୟମକୁ ପାଦରେ ଦଳିମକଚି ଦେଲେ ପେଟ୍ରୋଲ ପମ୍ପ କର୍ମଚାରୀ । କେବଳ ରାଜଧାନୀ ନୁହେଁ ନିଆଳି, ଅସ୍ତରଙ୍ଗ ଭଳି ସ୍ଥାନରେ ଅଂଚଳରେ ବି ପ୍ଲାଷ୍ଟିକ ବୋତଲରେ ବିକ୍ରି ହେଉଛି ପେଟ୍ରୋଲ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ଖୁଚୁରା ଦୋକାନ, ଇନ୍ଧନ ଷ୍ଟେସନରେ ଅଚାନକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସିଭିଲ୍ ସପ୍ଲାଏ ଇନ୍ସପେକ୍ଟର, ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ପୁଲିସ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ଏନଫୋର୍ସମେଣ୍ଟ କର୍ମଚାରୀଙ୍କ କାନ୍ଧରେ ଏ ଦାୟିତ୍ବ ଦିଆଯାଇଛି । 

ନିର୍ଦ୍ଦେଶାବଳୀ ପାଳନକୁ ନିଶ୍ଚିତ କରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କଠାରୁ ମାସିକିଆ ରିପୋର୍ଟ ନେବେ ସରକାର । ଏଥିରେ ଯାଞ୍ଚ ସଂଖ୍ୟା, ଉଲ୍ଲଂଘନକାରୀଙ୍କ ତଥ୍ୟ ଓ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉଲ୍ଲେଖ ରହିବ ।