କନକ ବ୍ୟୁରୋ : ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ସୋସିଆଲ ମିଡ଼ିଆ ଭାଙ୍ଗୁଛି ସୁନାର ସଂସାର । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ - ୨୦୦୫ ଏବଂ ଯୌତୁକ ନିଷେଧ ଅଧିନିୟମ - ୧୯୬୧ ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ ଓ ସୋସିଆଲ୍ ମିଡିଆ, ମୋବାଇଲ ଠାରୁ ମହିଳାମାନେ କିଛି ସମୟ ବିରତି ଦେବାକୁ ଅପିଲ କରିଛନ୍ତି ପ୍ରଭାତୀ ।
ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର ବୋଲି କହିଲେ ସମାଜସେବୀ ସୋଫିଆ । ଯାହାକୁ ନେଇ ମୋବାଇଲ ଓ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଅପିଲ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।