କନକ ବ୍ୟୁରୋ : ଫଟ ଫଟ ହୋଇ ଚାଲୁଥିଲା ବୁଲେଟ୍ । ଗାଡ଼ିରେ ଥିଲେ ସ୍ବାମୀ, ସ୍ତ୍ରୀ । ସ୍ବାମୀ ଗାଡ଼ି ଚଳାଉଥିଲେ ଆଉ ସ୍ତ୍ରୀ ବସିଥିଲେ ତେଲ ଟାଙ୍କି ଉପରେ । ସ୍ବାମୀଙ୍କ ହାତରେ ଗାଡ଼ିର ହ୍ୟାଣ୍ଡେଲ ଆଉ ସ୍ତ୍ରୀଙ୍କ ହାତରେ ଥିଲା ମୋବାଇଲ୍ । ଫାଙ୍କା ରାସ୍ତାରେ, ବିନା ହେଲମେଟରେ । ରୋମାଣ୍ଟିକ୍ ଗୀତରେ ରିଲ୍ସ କରୁଥିଲେ ସ୍ବାମୀ-ସ୍ତ୍ରୀ । ବେପରୁଆ ଭାବେ ଗାଡ଼ି ଚଳାଉଥିବାରୁ କଟକ ଆର୍ଟିଓ ୧୬ ହଜାର ଟଙ୍କାର ଫାଇନ୍ ପକାଇଛନ୍ତି । ଏହାସହ ପୁଣିଥରେ ଭିଡିଓ ନ କରିବାକୁ ତାଗିଦ୍ ମଧ୍ୟ କରିଛନ୍ତି । ଠିକ୍ ସେହିଭଳି ଅନୁଗୁଳର ଯୁବତୀ ଜନଗହଳିପୂର୍ଣ୍ଣ ରାସ୍ତାରେ ବିନା ହେଲମେଟରେ ଦବଙ୍ଗ ଷ୍ଟାଇଲରେ ରିଲ୍ସ କରି ଅକଳରେ ପଡ଼ିଛନ୍ତି। ଯୁବତୀଙ୍କୁ ଥାନାରେ ହେଲମେଟ ପିନ୍ଧାଇବା ସହ ଫାଇନ୍ କାଟିଛି ଆର୍ଟିଓ ।
ଅଳ୍ପ କିଛି ଭିୟୁଜ୍ ପାଇଁ ବିପଜ୍ଜନକ ରିଲ୍ସ କରିବା ଟ୍ରେଣ୍ଡ୍ ପାଲଟିଗଲାଣି। ସୋସିଆଲ ମିଡିଆରେ ନିଜର ଫଲୋଅର୍ସ ବଢ଼ାଇବା ପାଇଁ ବିପଦକୁ ଖାତିର କରୁନାହାନ୍ତି ଯୁବପିଢ଼ି । ବାଲେଶ୍ୱର ଜାତୀୟ ରାଜପଥରେ ବିନା ସିଟ୍ ବେଲ୍ଟରେ ବେପରୁଆ ଭାବେ ଅତି ଦ୍ରୁତ ଗତିରେ ଗାଡ଼ି ଚଳାଇ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି ଯୁବକ । ସଡ଼କ ସୁରକ୍ଷାର ନିୟମକୁ ଫୁ’ କରି ଉଡ଼ାଇ ଦେଇଛନ୍ତି ଆଉ ତାହା ବି କେବଳ ରିଲ୍ସ ପାଇଁ । ଯାହାର ଭିଡିଓ ଭାଇରାଲ ପରେ ଯୁବକଙ୍କ ଉପରେ ପଡ଼ିଛି ୧୧ ହଜାର ଟଙ୍କାର ଫାଇନ୍ । ସାଧାରଣ ଲୋକ କି ଭିଡିଓ କ୍ରିଏଟର ନୁହଁନ୍ତି, ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ବିନା ହେଲମେଟରେ ରାସ୍ତାରେ ବାଇକ ରାଲି କରିବାର ଭିଡିଓ ଭାଇରାଲ ହୋଇଥିଲା । ସଚେତନ ଲୋକ ଏନେଇ ପ୍ରଶ୍ନ କରିବା ପରେ ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ସଡ଼କ ସୁରକ୍ଷା ଓ ମୋଟର ଯାନ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଆକ୍ସନମୋଡ୍କୁ ଆସିଛି ପରିବହନ ବିଭାଗ । ରିଲ୍ସ ପାଇଁ ହେଉ ଅବା ବିପଜ୍ଜନକ ଗାଡ଼ି ଚାଳନା ପ୍ରମାଣ ପାଇଲେ ଏଥର ଫାଇନ୍ ସହ ଲାଇସେନ୍ସ ରଦ୍ଦ କରିବ ବିଭାଗ । ଯାହା ରିଲ୍ସ କରୁଥିବା ଯୁବବର୍ଗଙ୍କ ମନରେ ଛନକା ଭରିଛି ।