କନକ ବ୍ୟୁରୋ : ଓଡ଼ିଶାକୁ ବଡ଼ ବର୍ଷା ଭୟ । ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଏପରିକି ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । କେବଳ ଓଡ଼ିଶା ନୁହେଁ ଲଘୁଚାପ ପ୍ରଭାବରେ ୫ଟି ରାଜ୍ୟକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ସେମିରୁ ଅଧିକ ବୃଷ୍ଟିପାତର ସମ୍ଭାବନା ରହିଛି । ଓଡ଼ିଶାର ପୂର୍ବ ଓ ପଶ୍ଚିମ ଭାଗରେ ୨ଟି ଲଘୁଚାପ ସକ୍ରିୟ ରହିଛି । ପୂର୍ବରେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର  ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।

Advertisment

ଆଗାମୀ ୩୬ ଘଣ୍ଟା ଲଘୁଚାପ ବର୍ଷା ଓଡ଼ିଶାକୁ କଲବଲ କରିବ । ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହୋଇଥିବାରୁ ଉତ୍ତର-ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଦୁଇ ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ଏହା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ରହିଛି । ଏହାପରେ ଲଘୁଚାପ ଦୁର୍ବଳ ହେବା ସହ ବର୍ଷାର ପରିମାଣ କମିବ । ଲଘୁଚାପ ବର୍ଷାରେ ୩ ଦିନରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଅନ୍ୟପଟେ ରେଡ୍ ଆଲର୍ଟ ଭିତରେ ସମସ୍ତ ଜିଲ୍ଲାପାଳଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । କୌଣସି ଅଘଟଣ ଏଡ଼ାଇବାକୁ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି ।