କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଅବପାତରେ ପରିଣତ ହୋଇସାରିଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ସୋମବାର ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

ଅବପାତଟି ଉତ୍ତର ଦିଗରେ ଗତି କରି ଉତ୍ତର- ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ। ସୋମବାର ମଧ୍ୟାହ୍ନରେ ପୁରୀ ଓ ଦୀଘା ମଧ୍ୟରେ ଉପକୂଳ ଅତିକ୍ରମ କରିବ। ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବନ୍ଦରଗୁଡ଼ିକୁ ବିପଦ ସଙ୍କେତ ଜାରି କରାଯାଇଛି। ଗୋପାଳପୁର ଓ ପୁରୀକୁ ୩ ନମ୍ୱର ଏବଂ ଧାମରା ଓ ପାରାଦ୍ୱୀପକୁ ୧ ନମ୍ବର ବିପଦ ସଙ୍କେତ ଜାରି। ସେହିପରି ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଚର ରହିବା ଆଶଙ୍କା କରାଯାଉଛି। 

  • ରେଡ୍‌ ଆଲର୍ଟ ଜିଲ୍ଲା - ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ
  • ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲା - କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା

ପ୍ରବଳ ବର୍ଷା ଆଶଙ୍କା କରି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ରହିଛି। ୨୦୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା କରାଯାଉଥିବାରୁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ, ରାସ୍ତାରେ ପାଣି ଜମିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇପାରେ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି। ଏପରିକି କ୍ଷୟଯତି ସଂପର୍କିତ ରିପୋର୍ଟ ତୁରନ୍ତ ଏସଆରସିଙ୍କୁ ଦେବାପାଇଁ କୁହାଯାଇଛି।