କନକ ବ୍ୟୁରୋ: ଅକ୍ଷୟ ତୃତୀୟାରେ ସୁନା ବୋହି ନେଲେ ଲୋକ । ଗୋଟିଏ ଦିନରେ ୧୭୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ଏଥର ସୁନା ଦାମ ଅଧିକ ଥିବାରୁ କମ୍ ଓଜନର ଗହଣା କିଣି ଘରକୁ ନେଇଛନ୍ତି ଗ୍ରାହକ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଗତକାଲି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକ ଚଢ଼ା ଦର ଯୋଗୁଁ କମ ଓଜନରେ ହେଉ ପଛେ ସୁନା କିଣି ଘରକୁ ନେଇଛନ୍ତି । ବିଶେଷ କରି ସୁନା ମୁଦି, ଚେନ, ଶଙ୍ଖା ଓ ହାର ଆଦି କିଣିଛନ୍ତି । ଏବର୍ଷ ବିବାହ ଗହଣା ବିକ୍ରି ପୂର୍ବ ବର୍ଷ ତୁଳନାରେ ୩୦ ପ୍ରତିଶତ କମ ରହିଥିବା ରହିଛି । ତେବେ ଜୁଲାଇ ମଧ୍ୟଭାଗ ଯାଏଁ ବିବାହ ଋତୁ ଥିବାରୁ ଆଗାମୀ ଦିନରେ ସେଭଳି ଗହଣା ବିକ୍ରି ବଢ଼ିବ ବୋଲି ସୁନା ବ୍ୟବସାୟୀ ଆଶା ରଖିଛନ୍ତି । ଏବେ ୨୨ କ୍ୟାରେଟ ସୁନାର ଦାମ ୮୯ ହଜାର ୭୫୦ ଟଙ୍କା ରହିଛି । ଗତବର୍ଷ ତୁଳନାରେ ସୁନା ବିକ୍ରି କମିବ ବୋଲି ଆଶା କରାଯାଉଥିଲେ ମଧ୍ୟ ସେପରି ଦେଖିବାକୁ ମିଳିନାହିଁ ।