ଶରୀରକୁ ସୁସ୍ଥ,ସତେଜ ରଖିବା ପାଇଁ ବ୍ୟାୟାମ ତଥା ଯୋଗର ନିତାନ୍ତ ଆବଶ୍ୟକତା ରହିଛି । ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ବି ଲୋକ ପାର୍କ , ଜିମ୍ କୁ ଯାଇ କସରତ କରୁଛନ୍ତି । ଯୁବପିଢୀଙ୍କ ଭିତରେ ତ ଜିମର କ୍ରେଜ୍ ହିଁ କିଛି ଅଲଗା । ପ୍ରତିଦିନ ଜିମ୍ , ପ୍ରୋଟିନ୍ ସେକ୍ ଆଉ ପୁଷ୍ଟିକର ଖାଦ୍ୟ ପ୍ରତି ବର୍ତ୍ତମାନର ଯୁବପିଢୀ ଆକର୍ଷିତ ହେଉଛନ୍ତି । ହେବା କଥା ମଧ୍ୟ , ଶରୀର ପ୍ରତି ଧ୍ୟାନ ଦେବା ବହୁତ ଭଲ । କିନ୍ତୁ କିଛି ବର୍ଷ ହେଲାଣି ଦେଖିବାକୁ ମିଳୁଛି ଯେ ଜିମ୍ ରେ କସରତ କରୁ କରୁ ହଠାତ୍ ଛାତିରେ ଯନ୍ତ୍ରଣା ହେଉଛି । ଆଉ ଜିମ୍ କରୁଥିବା ଯୁବକ ଜଣକ ଛାତିକୁ ଧରି ତଳେ ପଡ଼ି ଛଟପଟ ହେଉଛନ୍ତି । କେହି କିଛି ଭାବିବା ପୂର୍ବରୁ ଖବର ଆସୁଛି ଜିମ୍ ରେ କସରତ କରୁଥିବା ବେଳେ ହୃଦଘାତରେ ଯୁବକଙ୍କ ଜୀବନ ଚାଲିଗଲା । ସୋସିଆଲ୍ ମିଡ଼ିଆରେ ପ୍ରତିଦିନ ଏମିତି ଖବର ତଥା ଭିଡ଼ିଓ ଆପଣଙ୍କ ନଜରରେ ଆସୁଥିବ । ଏବେ ପ୍ରଶ୍ନ ଉଠୁଛି , ପ୍ରତିଦିନ ବ୍ୟାୟାମ କରି ଶରୀରକୁ ସୁସ୍ଥ ରଖିବା ସତ୍ତେ୍ୱ କାହିଁକି ଏଭଳି ସମସ୍ୟା ଦେଖିବାକୁ ମିଳେ? ସନର୍ ଅନ୍ତରାଷ୍ଟ୍ରୀୟ ହସ୍ପିଟାଲ୍ ର ନିର୍ଦ୍ଦେଶକ ତଥା ଇଣ୍ଟରବେନ୍ସନାଲ୍ କାର୍ଡିଓଲୋଜି ବିଭାଗର ବିଭାଗମୁଖ୍ୟ ଡକ୍ଟର ଡି.କେ ଝାମ୍ବ୍ ଏନେଇ କ’ଣ କୁହନ୍ତି ଆସନ୍ତୁ ଦେଖିବା । 

Advertisment

gym

ଜିମ୍ ରେ ସାଧାରଣଠାରୁ ଅଧିକ ବ୍ୟାୟାମ କଲେ ହୃଦୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ହୃଦୟ ଠିକ୍ ରୂପେ ସଂଚାଳନ ହେବାରେ କଷ୍ଟ ଅନୁଭବ କରେ । ଜିମରେ କସରତ କରିବା ସମୟରେ ବ୍ୟକ୍ତିଜଣକ ଅଧିକ ପ୍ରେସରରେ ଥାଆନ୍ତି । ଯାହା ହୃଦୟ ପାଇଁ ବିପଦଜ୍ଜନକ । କିଛି ଲୋକଙ୍କ ଜେନିଟଲ୍ ସ୍ଥିତି ଏଭଳି ହୋଇଥାଏ ଯେ ତାଙ୍କୁ ହାର୍ଟଆଟାକ୍ ଶୀଘ୍ର ପ୍ରଭାବିତ କରିଥାଏ । 

Gyming

ଯୁବଗୋଷ୍ଠୀ ଜିମ୍ କଲା ବେଳେ ଶରୀରରେ ହେଉଥିବା ଛୋଟମୋଟ ପୀଡ଼ାକୁ ଅଣଦେଖା କରନ୍ତି । ଯାହା ସମସ୍ତଙ୍କ କ୍ଷେତ୍ରରେ ନହେଲେ ବି ଅଧିକାଂଶ କ୍ଷେତ୍ରରେ ହାର୍ଟଆଟାକର କାରଣ ସାଜିଥାଏ । କିଛି ଲୋକଙ୍କୁ ଜିମ୍ ଫୋବିଆ ଥାଏ । ଏମାନଙ୍କୁ ଦିନ-ରାତି କେବଳ ଜିମ୍ କରିବାର ନିଶା ଘାରିଥାଏ । ହୃଷ୍ଟପୃଷ୍ଟ ଶରୀର , ସତେଜ-ସୁନ୍ଦର ଚେହେରା ପାଇବା ଚକ୍କରରେ ବିନା ବ୍ରେକରେ ଅତ୍ୟଧିକ ବ୍ୟାୟାମ କରିବା ହୃଦୟ ପାଇଁ ଭାରି ପଡ଼ିଯାଏ । ଡାକ୍ତରଙ୍କ କହିବାନୁସାରେ , ଜିମ୍ ରେ ବ୍ୟାୟାମ କରୁଥିବା ବ୍ୟକ୍ତି ସେହି ସମୟରେ ଅଧିକ ସମ୍ବେଦନଶୀଳ ରହିଥାନ୍ତି । ଯେଉଁଥିପାଇଁ ଅଧିକ ବ୍ୟାୟାମ କରିବାକୁ ଇଚ୍ଛା ହୁଏ ଏବଂ ଏହାର ପ୍ରଭାବ ହୃଦୟ ଉପରେ ପଡ଼େ ।  

Viral

ଡାକ୍ତରଙ୍କ କହିବାନୁସାରେ,ଜିମ୍ କରୁଥିବା ବେଳେ ହୃଦଘାତର ମୁଖ୍ୟ ଲକ୍ଷଣ କହିବାକୁ ଗଲେ,ଛାତିରେ ଯନ୍ତ୍ରଣା ହେବା ଏବଂ ବିଶ୍ରାମ ନେଲା ବେଳେ ଯନ୍ତ୍ରଣା କମିଯିବା । ନିଃଶ୍ୱାସ,ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ତଥା ଗଭୀର ନିଶ୍ୱାସ ନେବା । ତ୍ୱଚାର ରଙ୍ଗ ବଦଳିବା ଏବଂ ଅଧିକ ଝାଳ ବାହାରିବା । କିଛି ଲୋକଙ୍କ କ୍ଷେତ୍ରରେ ହୃଦଘାତ ଆସିବା ପୂର୍ବରୁ ବାନ୍ତି ହେବାର ମଧ୍ୟ ଦେଖାଯାଏ । । ମୁଣ୍ଡ ବୁଲାଇବା ଏବଂ ଅଚେତ୍ ହେବା ମଧ୍ୟ ହୃଦଘାତ ପୂର୍ବର ଲକ୍ଷଣ ହୋଇଥାଏ । 

ତେବେ ସତର୍କତା ଅବଲମ୍ବନ କଲେ ଜିମ୍ ସମୟରେ ଆସୁଥିବା ହୃଦଘାତରୁ ନିଜକୁ ବଂଚାଇପାରିବେ । ପ୍ରତିଦିନ ବ୍ୟାୟାମ କରନ୍ତୁ କିନ୍ତୁ ଅଧିକ ସମ୍ବେଦନଶୀଳ ହୋଇ ତରବରିଆ ଭାବରେ ଶୀଘ୍ର ଶୀଘ୍ର କସରତ କରନ୍ତୁ ନାହିଁ । କଥାରେ ଅଛି ଧୀର ପାଣି ପଥର କାଟେ । ତେଣୁ ବ୍ୟାୟାମ କଲା ବେଳେ ବି ଏହି ସୂତ୍ରଟି ମନେରଖନ୍ତୁ ଏବଂ ଧିରେ ଧିରେ ବ୍ୟାୟାମ କରନ୍ତୁ । ସୁସ୍ଥ ଖାଆନ୍ତୁ , ହୃଦୟକୁ ସୁସ୍ଥ ରଖନ୍ତୁ । ଖାଦ୍ୟରେ ଫଳ , ସବୁଜ ପରିବା , ପ୍ରୋଟିନ୍ ଉଚିତ୍ ମାତ୍ରାରେ ଖାଆନ୍ତୁ । କୋଲେଷ୍ଟ୍ରୋଲ୍ ଲେବଲ୍ ବଢିଲେ ଡାକ୍ତରଙ୍କ ପାଖକୁ ନିୟମିତ ଚେକଅପ୍ ପାଇଁ ଯାଆନ୍ତୁ । ମନକୁ ଶାନ୍ତ ରଖିବା ପାଇଁ ମେଡିଟେସନ୍ କରନ୍ତୁ । ଚାପକୁ କମାଇବା ପାଇଁ ଯୋଗଭ୍ୟାସ କରନ୍ତୁ । ସାତ୍ତ୍ୱିକ ଆହାର , ପ୍ରଚୁର ପାଣି , ନିୟମିତ ଚେକଅପ୍ ଏବଂ ପ୍ରତିଦିନ ବ୍ୟାୟାମ ହୃଦଘାତକୁ କମାଇବାରେ ସହାୟକ ହେବ ।