କନକ ବ୍ୟୁରୋ : ବେଳେବେଳେ ଜୀବନ ଆମକୁ ଏମିତି ଏକ ଜଟିଳ ପରିସ୍ଥିତିରେ ପକାଏ ଯେଉଁଠାରେ ସବୁକିଛି ନିୟନ୍ତ୍ରଣ ବାହାରେ ଲାଗେ । ଯେଉଁଠି ବୁଦ୍ଧି କାମ କରିବା ବନ୍ଦ କରିଦିଏ ଏବଂ ସବୁକିଛି ଓଲଟା ଚାଲିଲା ପରି ଲାଗେ । ଆଉ ଠିକ୍ ସେହି ସମୟରେ ଭଗବାନ ସହାୟତା ପାଇଁ ଜଣେ ବ୍ୟକ୍ତିବିଶେଷଙ୍କୁ ଆମ ଅଜ୍ଞାତରେ ପଠାଇଥା’ନ୍ତି । ଯିଏ ଚୁପ୍ କରି ଆସନ୍ତି , ସାହାଯ୍ୟର ହାତ ବଢ଼ାନ୍ତି ଏବଂ ସମସ୍ୟାର ସମାଧାନ କରି ଚାଲିଯାଆନ୍ତି । ଉକ୍ତ ବ୍ୟକ୍ତିଙ୍କୁ କିଏ , କ’ଣ , କୁହନ୍ତି ତାହା ଜଣାନାହିଁ କିନ୍ତୁ ସାହାଯ୍ୟ ପାଇଥିବା ବ୍ୟକ୍ତିଜଣକ ପାଇଁ ସେ ଦେବଦୂତ  ପାଲଟିଯାଆନ୍ତି । ଆଉ ଏମିତି ହିଁ ଜଣେ ଦେବଦୂତ ମୁମ୍ବାଇର ରେଲୱେ ଷ୍ଟେସନରେ ସେଦିନ ଜଣେ ଗର୍ଭବତୀ ମହିଳାଙ୍କ ଡେଲିଭରି କରିବାରେ ସାହାଯ୍ୟ କରିଥିଲେ । ନା ଥିଲା ଡାକ୍ତର ଡିଗ୍ରି , ନା ଥିଲେ ମହିଳା , କେବଳ ମୁଣ୍ଡରେ ଚାଲିଥିଲା କେମିତି ପ୍ରସବ ପୀଡ଼ାରେ ଛଟପଟ ହେଉଥିବା ମା’ ଓ ଶିଶୁଙ୍କ ଜୀବନ ବଞ୍ଚାଇବା ।  

Advertisment

ରାତି ପ୍ରାୟ ଗୋଟାଏ ବେଳେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହେଲା । ଆଗରେ ସବୁଠୁ ବଡ଼ ସମସ୍ୟା ଏହା ଥିଲା ଯେ ଟ୍ରେନରେ କେହି ଡାକ୍ତର ନଥିଲେ , ଜରୁରୀକାଳୀନ ସେବାକୁ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା ଏବଂ ପିଲା ମହିଳାଙ୍କ ଗର୍ଭରୁ ଅଧା ବାହାରି ଆସିଥିଲା । ଏହି ସମୟରେ ଯଦି ଡେଲିଭରି ନ ହୋଇପାରିଥା’ନ୍ତା ତା’ହେଲେ ମା’,ପିଲା ଉଭୟଙ୍କ ଜୀବନ ଉପରେ ବିପଦ ମାଡ଼ି ଆସିଥା’ନ୍ତା । କିନ୍ତୁ କୁହନ୍ତି ନା’ ପ୍ରତିଟି କୃଷ୍ଣ ପାଇଁ କେହି ନା କେହି ବାସୁଦେବ ଥାଆନ୍ତି । ଆଉ ଠିକ୍ ସେହିଭଳି ଜଣେ ଯୁବକ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ହୋଇ ଆସିଲେ । ମହିଳାଙ୍କ ପାଇଁ ଟ୍ରେନ୍ ଚେନ୍ ଟାଣି ସେ ପ୍ରଥମେ ଲୋକଙ୍କ ସାହାଯ୍ୟରେ ତାଙ୍କୁ ପ୍ଲାଟଫର୍ମକୁ ଓହ୍ଲାଇଲେ ଏବଂ ଜଣେ ମହିଳା ଡାକ୍ତର ସାଙ୍ଗକୁ ଭିଡିଓ କଲ୍ କରି ଫ୍ଲାଟଫର୍ମରେ ହିଁ ଗର୍ଭବତୀଙ୍କ ଡେଲିଭରି କରାଇଥିଲେ । ତେବେ ଡେଲିଭରି ପରେ ଉଭୟ ମା’ଓ ଶିଶୁ ଦୁହିଁଙ୍କୁ ଆମ୍ବୁଲାନ୍ସ  ଯୋଗେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିକାଶ ବେନ୍ଦ୍ରେ ନାମକ ଉକ୍ତ ଯୁବକ ଏବେ ସୋସିଆଲ୍ ମିଡିଆରେ ରିୟଲ୍ ଲାଇଫ୍ ରାଞ୍ଚୋ , ଦେବଦୂତ , ଅସଲି ହିରୋ ଏଭଳି ଅନେକ ନାଁରେ ଭାଇରାଲ୍ ହେଉଛନ୍ତି । ସୋସିଆଲ୍ ମିଡିଆ ୟୁଜର ତାଙ୍କୁ ଏଭଳି ମହତ୍ କାମ ପାଇଁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସିନେମା ୩ ଇଡିୟଟ୍ସରେ ରାଞ୍ଚୋ ଭୂମିକାରେ ଅଭିନେତା ଆମିର୍ ଖାନ୍ ଯେପରି ଅଭିନେତ୍ରୀ ମୋନା ସିଂଙ୍କ ଡେଲିଭରି ଭିଡିଓ କଲ୍ ସହାୟତାରେ କରିଥିଲେ । ଠିକ୍ ସେହିପରି ଦୃଶ୍ୟ ମୁମ୍ବାଇର ରେଲୱେ ପ୍ଲାଟଫର୍ମରେ ସେଦିନ ଦେଖିବାକୁ ମିଳିଥିଲା । ଆମିର୍ ରିଲରେ ମିଛିମିଛିକା ରାଞ୍ଚୋ ପାଲଟିଥିବା ବେଳେ ବିକାଶ ରିୟଲରେ ଅସଲି ରାଞ୍ଚୋ ପାଲଟିଯାଇଛନ୍ତି । 
ବ୍ୟୁରୋ ରିପୋର୍ଟ କନକ ଡିଜିଟାଲ୍