RealLifeMardani Photograph: (KanakNews)
କନକ ବ୍ୟୁରୋ : ନିକଟରେ ମୁକ୍ତିଲାଭ କରିଛି ବଲିଉଡ୍ ସିନେମା ‘ମର୍ଦ୍ଦାନି-୩’ । ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ନଜର ଆସିଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜି । ଏହା ପୂର୍ବରୁ ସିନେମାର ଦୁଇଟି ପାର୍ଟ ମର୍ଦ୍ଦାନି-୧ ଏବଂ ମର୍ଦ୍ଦାନି-୨ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲା । ଫିଲ୍ମର ରିଲିଜ୍ ପରେ ଏହାକୁ ନେଇ ବର୍ତ୍ତମାନ ଇଣ୍ଟରନେଟ୍ ବେଶ୍ ଚର୍ଚ୍ଚା ହେଉଛି ଯେ ପ୍ରକୃତ ମର୍ଦ୍ଦାନି କିଏ ? କାହାର ରିୟଲ୍ ଲାଇଫର ଚରିତ୍ରକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମା? ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ସେହି ଖାକି ପିନ୍ଧା ସିଂହୀଙ୍କ ନାମ କହିବୁ ଯେ କୁନି କୁନି ପିଲାଙ୍କ ଜୀବନକୁ ବଞ୍ଚାଇ ତାଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ନାଁ ତାଙ୍କର ମଲ୍ଲିକା ବାନାର୍ଜି । ଅଣ୍ଡରକଭର୍ ମିସନରେ ଚାକିରି ଦେବାକୁ କହି ଏଜେନ୍ସି ଚଲାଉଥିବା ଆଳରେ ଶିଶୁ ଚାଲାଣ କରୁଥିବା ନେଟୱାର୍କର ପର୍ଦ୍ଦାଫାଶ କରିଥିବା ଏହି ସାହସୀ ଅଫିସରଙ୍କ କାହାଣୀକୁ ସିନେମାରେ ଓହ୍ଲାଇଛନ୍ତି ମର୍ଦ୍ଦାନି-୩ ର ନିର୍ମାତା ।
ଆଗକୁ ପଢ଼ନ୍ତୁ : ପୁଣି ପରଦାକୁ ଆସିବ ତେରେନାମ୍ : ୨୪ ବର୍ଷ ପରେ ଶୁଭିବ ୟେ ଦିଲ୍ ଆଶିକାନାଁ
ମଲ୍ଲିକା ବାନାର୍ଜି ପଶ୍ଚିମବଙ୍ଗ ଇଣ୍ଡିଆନ୍ ପୁଲିସ ସର୍ଭିସର ଜଣେ ଅଫିସର । ଯାହାଙ୍କୁ ଛତିଶଗଡ଼ରେ ଶିଶୁ ଚାଲାଣ ନେଟୱାର୍କ ବିରୋଧରେ ଅଣ୍ଡରକଭର୍ ଅପରେସନ ଚଳାଇବାକୁ ନେଇ ରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳିଥିଲା । ଷ୍ଟେସନ୍ ହାଉସ୍ ଅଫିସର ଏବଂ ମାନବ ଚାଲାଣ ବିରୋଧୀ ନୋଡାଲ୍ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ୨୦୧୬ ରେ ଗୁପ୍ତ ମିସନ ପାଇଁ ରିୟଲ୍ ଲାଇଫ୍ ମର୍ଦ୍ଦାନିର ନାଁ ଦିଆଯାଇଥିଲା ଏବଂ ସେ ସମସ୍ତଙ୍କ ରୋଲ୍ ମଡେଲ୍ ହୋଇଯାଇଥିଲେ । ଏହି ଆଇପିଏସ୍ ଅଧିକାରୀ ଟ୍ରାଫିକିଂ ରାକେଟ ଭିତରକୁ ଯିବା ପାଇଁ ଘର ଘର ବୁଲି ସେଲସ୍ ୱମେନର କାମ ମଧ୍ୟ କରିଥିଲେ । ପୁଲିସ ବିଭାଗରେ ଥାଇ ବି ସେ ବିନା ସଙ୍କୋଚରେ ନିଜ କର୍ତ୍ତବ୍ୟକୁ ଭଲ ଭାବରେ ପାଳନ କରିଥିଲେ । ତୀକ୍ଷ୍ଣ ବୁଦ୍ଧି ଖଟାଇ ଛୋଟ ଛୋଟ ପିଲାଙ୍କୁ ନର୍କ ଯନ୍ତ୍ରଣାରୁ ବାହାର କରିବା ମଲ୍ଲିକାଙ୍କ ଏକମାତ୍ର ଲକ୍ଷ ଥିଲା । ଆଉ ଏହି ଲକ୍ଷ୍ୟ ୨୦ ଜଣ ପିଲାଙ୍କୁ ଯନ୍ତ୍ରଣାରୁ ବାହାର କରି ପୁର୍ନଜନ୍ମ ଦେଇଥିଲା । ଏହା ସହ ବିଭିନ୍ନ ରାଜ୍ୟରେ କାମ କରୁଥିବା ୨୫ ଟି ଅବୈଧ ପ୍ଲେସମେଣ୍ଟ୍ ଏଜେନ୍ସିର ପର୍ଦ୍ଦାଫାସ ମଧ୍ୟ କରାଯାଇଥିଲା ।
୨୦୧୬ ରେ ଛତିଶଗଡ଼ରେ ପୋଷ୍ଟିଂ ପାଇଥିବା ମଲ୍ଲିକା ଅନୁଭବ କରିଥିଲେ ଯେ ସେ ଟ୍ରାଫିକିଂ ନେଟୱାର୍କ ସହିତ ଜଡ଼ିତ ଅପରାଧୀଙ୍କୁ କାବୁ କରିବାରେ ଫେଲ୍ ମାରିଛନ୍ତି । ଯେଉଁ ପିଲାମାନେ ଅପହରଣ ହେଉଥିଲେ ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ପୁଲିସ ସହ କଥା ତ ହେଉଥିଲେ ଏବଂ ଅପହରଣର ଏଫଆଇଆର ମଧ୍ୟ ଦେଉଥିଲେ କିନ୍ତୁ ବୋଧହୁଏ କୌଣସି ଚାପ କିମ୍ବା ଡର ଯୋଗୁଁ ମାମଲା ଉଠାଇ ମଧ୍ୟ ନେଉଥିଲେ । ବିନା ଏଫଆଇଆରରେ ଅପହରଣ ହୋଇଥିବା ପିଲାଙ୍କୁ ଖୋଜିବା ଯେମିତି ମଲ୍ଲିକାଙ୍କ ପାଇଁ କାଠିକର ପାଠ ହୋଇଯାଇଥିଲା । ସେଥିପାଇଁ ସେ ସିଧା ରାସ୍ତାରୁ ନ ଯାଇ ବଙ୍କା ରାସ୍ତାକୁ ବାଛିଲେ । ଆଉ ସେ ବଙ୍କା ରାସ୍ତା ଥିଲା ଅଣ୍ଡରକଭର୍ ମିସନ୍ । ଘର ଘର ବୁଲି ସେ ଜିନିଷ ବିକିବା ସହ ଲୋକଙ୍କ ସହ କଥାବାର୍ତ୍ତା ବଢ଼ାଇଲେ । ଯେଉଁ କାମ ଖାକି ପିନ୍ଧି କେବେ ବି ସମ୍ଭବ ହୋଇନଥାନ୍ତା ତାହା ସାଧାରଣ ବେଶଭୁଷାରେ ସମ୍ଭବ କରି ଦେଖାଇଲେ । କିଛି ମାସର ପରିଶ୍ରମ ପରେ ତାଙ୍କୁ ନେଟୱାର୍କର ପାଟର୍ଣ୍ଣ ବୁଝିବାକୁ ସହଜ ହେଲା । ଯେଉଁ ଏଜେନ୍ସି ଦିନ ବେଳା ବୈଧ ଲାଗୁଥିଲା ତାହା ରାତି ହେଲେ ଅବୈଧ କାମ କରୁଥିଲା । ପ୍ରଥମେ ଚାକିରିର ଲୋଭ ଆଉ ତା’ପରେ ବାଧ୍ୟବାଧକତାରେ ଦିନମଜୁରିଆ କାମ ଏବଂ ଦୁବ୍ୟବହାର କରାଯାଉଥିଲା । ଏହି ନେଟୱାର୍କକୁ ସାବାଡ କରିବା ପାଇଁ ମଲ୍ଲିକା ଏବଂ ତାଙ୍କ ଟିମ୍ ପୁରୁଣା ମାମଲାକୁ ଖୋଲିଥିଲେ ଏବଂ ୨୫ ରୁ ଅଧିକ ଅବୈଧ ଏଜେନ୍ସିକୁ ଥାନାକୁ ଭିଡ଼ି ନେଇଥିଲେ ।
Follow Us