କନକ ବ୍ୟୁରୋ: ଗତକାଲି ଆଇପିଏଲ୍ ଫାଇନାଲ୍ରେ ପଞ୍ଜାବ କିଙ୍ଗ୍ସକୁ ମାତ ଦେଇ ୧୮ ବର୍ଷର ସ୍ୱପ୍ନ ପୂରଣ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହାପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଦଳ । ଆଜି ବିଜୟ ଶୋଭାଯାତ୍ରାର ଯୋଜନା ରହିଥିଲା । ଏଥିପାଇଁ ପ୍ରଶଂସକଙ୍କ ଜବରଦସ୍ତ ଭିଡ଼ ଜମିଥିଲା । ବିଜୟ ଶୋଭାଯାତ୍ରା ପୂର୍ବରୁ ଦଳଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ଅଘଟଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ସାମିଲ ରହିଛନ୍ତି ।
ବିଜୟ ଶୋଭାଯାତ୍ରା ଆରମ୍ଭ କରିବାକୁ ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ ଅଭିମୁଖେ ବାହାରିଥିଲା ଆର୍ସିବି ଦଳ । ଏହି ଖବର ଶୁଣିବା ପ୍ରଶଂସକମାନେ ଅତ୍ୟଧିକ ଉତ୍ସାହିତ ହୋଇ ପଡ଼ିଥିଲେ । ସେଲିବ୍ରେସନ ଆରମ୍ଭ ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଯାହାଫଳରେ ବିଜୟ ଉତ୍ସବ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଛି । ୨୫ ଜଣ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ନେଇ କୁହାଯାଉଛି ।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖଛନ୍ତି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । କହିଲେ ମୁଁ ଘଟଣା ସ୍ଥଳରେ ପହଞ୍ଚୁଛି । ମୃତ୍ୟୁସଂଖ୍ୟା କେତେ ତାହା ସରକାରୀ ସ୍ତରରେ ସ୍ପଷ୍ଟ ହୋଇପାରିନି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯାଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆର୍ସିବି ଟିମ୍କୁ ଦେଖି ଷ୍ଟାଡିୟମରେ ପ୍ରଶଂସକ ଉତ୍ସାହିତ ହୋଇପଡ଼ିଥିଲେ । ଫ୍ୟାନ୍ସଙ୍କ ସୁରକ୍ଷା ପାଇଁ ୫ ହଜାରରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଖୁବଶୀଘ୍ର ଘଟଣା ବାବଦରେ ବିସ୍ତୃତ ସୂଚନା ଦିଆଯିବ ।
ଗତକାଲି ପ୍ରଥମେ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ । ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍ ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍ ମାରିଛି ପଞ୍ଜାବ ଦଳ । ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି ।