କନକ ବ୍ୟୁରୋ : ମୁମ୍ବାଇକୁ ପରାସ୍ତ କରି ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି , ୨୦୦ରୁ ଅଧିକ ରନ୍ କରି କେବେବି ମୁମ୍ବାଇ ପରାଜୟ ବରଣ କରିନଥିଲା ହେଲେ ଅଧିନାୟକ ଶ୍ରେୟସ ଆୟରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ମ୍ୟାଚର ଫଳାଫଳ ପଞ୍ଜାବ ସପକ୍ଷରେ ଯାଇଥିଲା । ‘କ୍ୟାପଟେନ୍ କୁଲ୍’ ଙ୍କ ପରି ବ୍ୟାଟିଂ କରି ଶ୍ରେୟସ ଦେଖାଇଦେଲେ , ମେ ହୁ ନା…
୧୮ ବର୍ଷ ପରେ ଯେତେବେଳେ ସ୍ୱପ୍ନ ସତ ହେବାକୁ ଯାଉଛି ସେତେବେଳେ ଉତ୍ସାହ ତ ରହିବ, ଉତ୍କଣ୍ଠା ରହିବ, ଆଉ ହାର୍ଟବିଟ୍ ବି ବଢ଼ିବ । ଏଥର ଆଇପିଏଲକୁ ମିଳିବାକୁ ଯାଉଛି ନୂଆ ବିଜେତା । ୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ଟ୍ରଫି ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ପଞ୍ଜାବ ଓ ବେଙ୍ଗାଲୁରୁ । ଆସନ୍ତାକାଲି ଆଇପିଏଲ୍-୨୦୨୫ର ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ହେବ ଜବରଦସ୍ତ ଟକ୍କର । ୧୧ବର୍ଷ ପରେ ପଞ୍ଜାବ ଫାଇନାଲ୍ ଖେଳିବାକୁ ଯାଉଛି । ୯ ବର୍ଷ ପରେ ଫାଇନାଲ୍ରେ ମୈଦାନକୁ ଓହ୍ଲାଇବ RCB । ଏଥର ପୂରା ହେବ କି ବିରାଟଙ୍କ ଆଇପିଏଲ୍ ଟ୍ରଫି ସ୍ୱପ୍ନ ? ଦିନିକିଆ ବିଶ୍ୱକପ୍, ଟି-୨୦ ବିଶ୍ୱକପ୍, ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଥିବା କୋହଲିଙ୍କ ପାଇଁ ଏବେ ବି ଅଧୁରା ରହିଛି ଆଇପିଏଲ୍ ଟ୍ରଫି ବିଜୟ । ପୂର୍ବରୁ ୩ ଥର ଫାଇନାଲ୍ ଖେଳିଥିଲେ ମଧ୍ୟ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛି ବେଙ୍ଗାଲୁରୁ ।
କ୍ୱାଲିଫାୟାର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଦଳ । ଅଧିନାୟକ ଶ୍ରେୟସ କହିଥିଲେ, ଆମେ ଲଢ଼େଇ ହାରିଛୁ,ଯୁଦ୍ଧ ନୁହେଁ । ଆଉ କ୍ୱାଲିଫାୟାର-୨ ଲଢ଼େଇରେ ଜବରଦସ୍ତ କମ୍ବ୍ୟାକ୍ କରି ଏକଥାକୁ ପ୍ରମାଣିତ ବି କରିଛନ୍ତି ଶ୍ରେୟସ । ଆୟରଙ୍କ ଅଦ୍ଭୁତ, ଅବିଶ୍ୱସନୀୟ, ଅକଳ୍ପନୀୟ ବିଧ୍ୱଂସୀ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହ ଆଇପିଏଲ୍ର ସଫଳ ଅଧିନାୟକ ତାଲିକାରେ ମଧ୍ୟ ଯୋଡି ହୋଇଛି ଶ୍ରେୟସଙ୍କ ନାଁ । ୩ ଟି ଅଲଗା ଅଲଗା ଦଳକୁ ଫାଇନାଲରେ ପହଞ୍ଚାଇବାରେ ସେ ହୋଇଛନ୍ତି ପ୍ରଥମ ଅଧିନାୟକ । ମୋଦୀ ଷ୍ଟାଡିୟମରେ କିଏ କରିବ ମ୍ୟାଜିକ୍ ? କାହା ଅପେକ୍ଷାର ହେବ ଅନ୍ତ, ଅଧୁରା ରହିବ କାହା ସ୍ୱପ୍ନ? ବିଜୟର ଟୀକା ପିନ୍ଧିବ ବେଙ୍ଗାଲୁରୁ ନା ଟ୍ରଫି ଅକ୍ତିଆର କରିବ ପଞ୍ଜାବ । ଏବେ ତାକୁ ହିଁ ଅପେକ୍ଷା ।