କନକ ବ୍ୟୁରୋ: ଚିନ୍ନାସ୍ବାମୀ ଷ୍ଟାଡିୟମ ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୁଲିସର ବଡ ଆକ୍ସନ । ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେ ଗିରଫ । ବିମାନବନ୍ଦରରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନିଖିଲଙ୍କ ଘର ମୁମ୍ବାଇରେ । ବେଙ୍ଗାଲୁରୁରୁ ମୁମ୍ବାଇ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆକ୍ସନ ମୋଡକୁ ଆସିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ନିଖିଲ ସୋସଲେଙ୍କ ସହ ଆରସିବିର ଆଉ ୩ଜଣ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି । ନିଖିଲ ଆରସିବିର ମାକେଟିଂ ମୁଖ୍ୟ ଥିଲେ । ଆରସିବି ବ୍ରାଣ୍ଡ ଡିଜାଇନ ସହ ଅନ୍ୟାନ୍ୟ ବଡ ଦାୟିତ୍ବ ସମ୍ଭାଳିଥାନ୍ତି ।

Advertisment

ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୁଲିସ କମିସନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏହାପରେ, ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଟ୍ରଫି ଜିତିବା ପରେ ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ବାହାରେ ପ୍ରଶଂସକଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା । ଏହା ପରେ, ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ ଜଣ ଆହତ ହୋଇଥିଲେ । ସେପଟେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି କର୍ଣ୍ଣାଟକ କ୍ରିକେଟ ଆସୋସିଏସନ । ନିଜ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରିବାକୁ କ୍ରିକେଟ ବୋର୍ଡ କୋର୍ଟରେ ପିଟିସନ ଦାଖଲ କରିଛି ।