କନକ ବ୍ୟୁରୋ: ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଇପିଏଲ ଟ୍ରଫି ହାତେଇଛି ଆର୍‌ସିବି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଚାମ୍ପିୟନ ହୋଇଛି । ପ୍ରଥମେ ଟସ୍‌ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ପଞ୍ଜାବ । ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବକୁ ୧୯୧ ଟାର୍ଗେଟ୍‌  ଦେଇଥିଲା । ଏହି ବିଜୟ ଲକ୍ଷ୍ୟ ହାସଲ କରିବାରେ ଫେଲ୍‌ ମାରିଛି ପଞ୍ଜାବ ଦଳ । ଶେଷରେ ବିରାଟ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇଛି ।  

Advertisment

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବେଙ୍ଗାଲୁରୁ ଦଳର ଓପନିଂ ଯୋଡ଼ି ଦଳ ପାଇଁ ୧୮ ରନ୍‌ କରିଥିଲେ । ଫିଲ୍‌ ସଲ୍ଟ ପ୍ରଥମେ ନିଜ ୱିକେଟ୍‌ ହରାଇଥିଲେ । ଏହାପରେ ମୟଙ୍କ ଅଗ୍ରାୱାଲ୍ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ତେବେ ୫୬ ରନ୍‌ ଦଳୀୟ ସ୍କୋର୍‌ ବେଳେ ମୟଙ୍କ ଅଗ୍ରୱାଲ ନିଜ ୱିକେଟ୍‌ ହରାଇଥିଲେ । ମୟଙ୍କଙ୍କ ୱିକେଟ୍‌ ପରେ ରଜତ ପଟିଦାର ଓ ବିରାଟଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଯାହା ବଡ଼ ସ୍କୋର୍‌ କରିବାରେ ସହାୟକ ହୋଇଥିଲା । ଏହାରି ମଧ୍ୟରେ ବିରାଟ କୋହଲି ୪୩ ରନ୍‌ କରି ନିଜ ୱିକେଟ ହରାଇଥିଲେ । ପାଳି ଶେଷ ବେଳକୁ ରୋମାରିଓ ସେଫର୍ଡ ୯ ବଲ୍‌ରୁ ୧୭ ରନ୍‌ କରିଥିବା ବେଳେ ଜିତେଶ ଶର୍ମା ୧୦ ବଲ୍‌ରେ ୨୪ ରନ୍‌ କରିଥିଲେ । ଯାହା ଫଳରେ ଦଳୀୟ ସ୍କୋର୍‌ ୧୯୦ ରନ୍‌ରେ ପହଞ୍ଚି ପାରିଥିଲା । 

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜାମିସନ ଯଥାକ୍ରମେ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଚହଲ, ବିଜୟ କୁମାର ଓ ଅଜମତୁହ୍ଲା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । 

ଜବାବରେ ପଞ୍ଜାବକୁ ଏକ ଓପେନିଂ ଷ୍ଟାର୍ଟ ମିଳିଥିଲା । ପ୍ରଥମ ୱିକେଟ ପାଇଁ ପ୍ରିୟଙ୍କ୍‌ ଆର୍ଯ୍ୟ ଓ ପ୍ରଭାସିମ୍‌ରନ୍‌ ସିଂ ଦଳୀୟ ଖାତାରେ ୪୩ ରନ୍‌ ଯୋଡ଼ିଥିଲେ । ଜୋସ ଇଂଲିସ ମଧ୍ୟ ୩୯ ରନ୍‌ କରିଛନ୍ତି । ପ୍ରଥମେ ପ୍ରିୟଙ୍କ ଆର୍ଯ୍ୟ ନିଜ ୱିକେଟ୍‌ ହରାଇଥିଲେ । ଏହାପରେ ପ୍ରଭାସିମ୍‌ରନ୍‌ ସିଂ ମଧ୍ୟ କ୍ରୁନାଲ ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ । ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ ଦଳ । ଶଶାଙ୍କ ସିଂ ୬୧ ରନ୍‌ର ପାଳି ଖେଳି ଦଳକୁ ବିଜୟ ଦେବାକୁ ସମସ୍ତ ପ୍ରୟାସ କରିଥିଲେ । ଆର୍‌ସିବି ବୋଲର ଆଜି ଜବରଦସ୍ତ ବୋଲିଂ କରିଥିଲେ । 


ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ କୃନାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଯଶ ଦୟାଲ, ଜୋସ ହେଜେଲଉଡ୍‌ ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ଆର୍‌ସିବିକୁ ଚାମ୍ପିୟନ କରାଇଛନ୍ତି ।