କନକ ବ୍ୟୁରୋ: ଜୁନ୍ ୪ ତାରିଖରେ, ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବି ଫ୍ୟାନ୍ସ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅନ୍ୟ ଖେଳାଳିମାନଙ୍କୁ ଦେଖିବାକୁ ଆସିଥିବା ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏହି ଦୁଃଖଦ ଘଟଣା ଉପରେ ଏକ ବଡ଼ ଘୋଷଣା କରିଛି । ଫ୍ରାଞ୍ଚାଇଜି କହିଛି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୧ ପ୍ରଶଂସକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବ । 

Advertisment

ଫ୍ରାଞ୍ଚାଇଜ୍ ଏହାର ସରକାରୀ ବିବୃତି ରେ କହିଛି ଯେ ପ୍ରତ୍ୟେକ ପୀଡ଼ିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଏହା ସହିତ, ଦୁର୍ଘଟଣାରେ ଆହତ ପ୍ରଶଂସକମାନଙ୍କୁ ସାହାଯ୍ୟ କରିବା ପାଇଁ 'RCB କେୟର୍ସ' ନାମକ ଏକ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ଆରମ୍ଭ କରାଯାଉଛି । RCB ତାର ବିବୃତିରେ କହିଛି- ଆମର ପ୍ରଶଂସକମାନେ ସର୍ବଦା ଆମ ହୃଦୟର ସବୁଠାରୁ ନିକଟତର । ଏହି କଷ୍ଟକର ସମୟରେ, ଆମେ ଏକଜୁଟ ହୋଇ ପୂର୍ଣ୍ଣ ସମବେଦନା ଏବଂ ସମର୍ଥନ ସହିତ ପୀଡ଼ିତଙ୍କ ସହିତ ଛିଡ଼ା ହୋଇଛୁ । 

ଜୁନ୍ ୫ ତାରିଖରେ କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । କର୍ଣ୍ଣାଟକ ସରକାର ହାଇକୋର୍ଟକୁ କହିଥିଲେ ଯେ ଷ୍ଟାଡିୟମ ଏବଂ ଏହାର ଆଖପାଖରେ ଆଇନ ଶୃଙ୍ଖଳା ତଦାରଖ କରିବା ପାଇଁ ସହରର ପୁଲିସ କମିସନର, ଡିସିପି ଏବଂ ଏସିପିଙ୍କ ସମେତ ୧୦୦୦ରୁ ଅଧିକ ପୁଲିସ ନିୟୋଜିତ ହୋଇଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଥିଲେ ଯେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୫୦୦୦ ପୋଲିସ ଉପସ୍ଥିତ ଥିଲେ ।

ଜୁନ୍ ୩ ତାରିଖରେ ଆରସିବି ଦଳ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିଥିଲା, ଆଉ ବିଜୟ ସହ IPLର ୧୮ତମ ସିଜିନରେ ପ୍ରଥମ ଥର ପାଇଁ ବିଜେତା ହୋଇଥିଲା ବେଙ୍ଗାଲୁରୁ । ଏହି ବିଜୟକୁ ପାଳନ କରିବା ପାଇଁ ବେଙ୍ଗାଲୁରୁରେ ଏକ ବିଜୟ ପରେଡ୍ ଆୟୋଜନ କରାଯାଇଥିଲା, ପୂର୍ବରୁ ଏହା ଏକ ଖୋଲା ବସ୍‌ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ତାହା ହୋଇନଥିଲା । ପରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ ଷ୍ଟାଡିୟମ୍‌ର କ୍ଷମତା ୩୫ ହଜାର ଥିଲା । କିନ୍ତୁ ବାହାରେ ୩ ଲକ୍ଷରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଦୁର୍ଘଟଣାରେ ୧୧  ଜଣ ପ୍ରାଣ ହରାଇଥିଲେ ।