କନକ ବ୍ୟୁରୋ : ଯଦି ଆପଣ କେବେ ବ୍ୟାଙ୍କରେ ଚେକ୍ ଡିପୋଜିଟ୍ କରିଛନ୍ତି, ତେବେ ଜାଣିଥିବେ ଯେ ଏହାକୁ କ୍ଲିୟର୍ ହେବାକୁ ଏବଂ ଆକାଉଣ୍ଟକୁ ଟଙ୍କା ଆସିବାକୁ ୨ ଦିନ ସମୟ ଲାଗେ । ବେଳେବେଳେ ଚେକ୍ କ୍ଲିୟର ହେବାକୁ ମଧ୍ୟ ବାରମ୍ବାର ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼େ । କିନ୍ତୁ ବର୍ତ୍ତମାନ ଏହି ଅସୁବିଧା ଦୂର ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଷଣା କରିଛି ଯେ ଅକ୍ଟୋବର ୪, ୨୦୨୫ ରୁ ଏକ ନୂଆ ଚେକ୍ କ୍ଲିୟରିଂ ସିଷ୍ଟମ୍ ଲାଗୁ ହେବ । ଏହା ଦ୍ୱାରା କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର୍ ହୋଇଯିବ ଏବଂ ଟଙ୍କା ଶୀଘ୍ର ଆକାଉଣ୍ଟକୁ ଆସିଯିବ ।
କିପରି କାର୍ଯ୍ୟ କରିବ ନୂଆ ଚେକ୍ ସିଷ୍ଟମ୍ ?
RBI କହିଛି ଯେ ବର୍ତ୍ତମାନର ଚେକ୍ ଟ୍ରଙ୍କେସନ୍ ସିଷ୍ଟମ୍କୁ ଆହୁରି ସ୍ପିଡ୍ କରାଯିବ । ଏଣିକି ବ୍ୟାଙ୍କରେ ଚେକ୍ ଜମା କଲେ ଏହାର ସ୍କାନ୍ କପି ତୁରନ୍ତ କ୍ଲିୟରିଂ ହାଉସ୍ ଏବଂ ତା’ପରେ ପେମେଣ୍ଟ୍ କରୁଥିବା ବ୍ୟାଙ୍କକୁ ପଠାଯିବ । ସେଠାରୁ ବ୍ୟାଙ୍କକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଚେକ୍କୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ । ଏହା ଦ୍ୱାରା କ୍ଲିୟରିଂ ସମୟ ୨ ଦିନ ନୁହେଁ ବରଂ କିଛି ଘଣ୍ଟା ଭିତରେ ହୋଇଯିବ ।
ନୂତନ ଚେକ୍ କ୍ଲିୟରିଂ ସିଷ୍ଟମ୍ ଅକ୍ଟୋବର ୪, ୨୦୨୫ରୁ କାର୍ଯ୍ୟକାରୀ ହେବ । ପ୍ରଥମେ ବ୍ୟାଙ୍କ୍ ଚେକ୍ ଗ୍ରହଣ କରିବା ପରେ ସନ୍ଧ୍ୟା ୭ ଟା ସୁଦ୍ଧା ଅନୁମୋଦନ ଦେବାକୁ ପଡ଼ିବ । ଯଦି ବ୍ୟାଙ୍କ ନିର୍ଦ୍ଧାରିତ ସମୟରେ ଉତ୍ତର ନଦିଏ, ତେବେ ଚେକ୍ ଅଟୋମେଟିକ୍ ଭାବରେ ପାସ୍ ହୋଇଯିବ । ନିୟମ ଅନୁସାରେ ବ୍ୟାଙ୍କକୁ ଚେକ୍ ଆସିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଏହାକୁ କ୍ଲିୟର୍ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯଦି ଆପଣ ସକାଳ ୧୦ ଟାରେ ଏକ ଚେକ୍ ଜମା କରନ୍ତି, ତେବେ ଅପରାହ୍ନ ୧ ରୁ ୨ ଟା ମଧ୍ୟରେ ତାହା ପାସ୍ ହୋଇଯିବ ।
ଗ୍ରାହକମାନଙ୍କୁ ସିଧାସଳଖ ମିଳିବ ଲାଭ
ଏହି ପରିବର୍ତ୍ତନର ସବୁଠୁ ବଡ଼ ଲାଭ ଗ୍ରାହକମାନଙ୍କୁ ମିଳିବ । ବର୍ତ୍ତମାନ ଟଙ୍କା ଆସିବା ପାଇଁ ୨ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । କ୍ଲିୟରିଂ ପରେ ବ୍ୟାଙ୍କକୁ ୧ ଘଣ୍ଟା ମଧ୍ୟରେ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ପଡ଼ିବ । ଅର୍ଥାତ୍ ଏଣିକି ଯେଉଁଦିନ ଚେକ୍ ଜମା କରିବେ ସେହି ଦିନ ହିଁ ଆକାଉଣ୍ଟ୍କୁ ଟଙ୍କା ଆସିଯିବ ।