dsubbarao Photograph: (KANAK NEWS)
କନକ ବ୍ୟୁରୋ: ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମାଗଣା ଯୋଜନା ଘୋଷଣାକୁ ନେଇ ହେଉଥିବା ପ୍ରତିଯୋଗିତାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବାରାଓ ଚିନ୍ତା ପ୍ରକଟ କରିଛନ୍ତି । ପ୍ରତି ମାଗଣା ଯୋଜନାକୁ ସେ ରାଜନୈତିକ ବିଫଳତା ବୋଲି କହିଛନ୍ତି । ମାଗଣା ଯୋଜନା କଥା କହୁଥିବା ଦଳ ଲୋକମାନଙ୍କୁ ଏହି ବାର୍ତ୍ତା ଦେଉଛନ୍ତି ଯେ ଆମେ ଆପଣମାନଙ୍କୁ ସମ୍ମାନର ସହ ବଞ୍ଚିବା କିମ୍ବା ନିୟମିତ ରୋଜଗାର ମାଧ୍ୟମ ଦେଇପାରୁନାହୁଁ । ତେଣୁ ଆପଣମାନଙ୍କ ପାଇଁ ଏବେ ଏତିକି ଅଛି । ସେତିକି ନେଇ କାମ ଚଳାଅ । ମାଗଣା ଯୋଜନା ଦ୍ବାରା ନିର୍ବାଚନ ଜିତିହେବ, କିନ୍ତୁ ରାଷ୍ଟ୍ର ଗଠନ କରିହେବ ନାହିଁ ବୋଲି ସେ କହିଛନ୍ତି ।
ସୁବାରାଓ କହିଛନ୍ତି ଯେ ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଥାକୁ ବିରୋଧ କରୁଥିଲେ । କିନ୍ତୁ ଏଥିରେ ନିର୍ବାଚନ ଜିତିବାର ସାମର୍ଥ୍ୟ ଥିବା ଜାଣିବା ପରେ ତାଙ୍କ ଦଳ ମଧ୍ୟ ସେହି ପ୍ରତିଯୋଗିତାରେ ସାମିଲ ହୋଇଛି । ଭାରତରେ ଆଉ ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି କିମ୍ବା ମାନବ ସମ୍ବଳ ଗଢ଼ିବା ସମ୍ପର୍କରେ ବିତର୍କ ହେଉନି । ମାଗଣା ଯୋଜନାରେ ଲୋକଙ୍କୁ ୧୦ ହଜାର ଟଙ୍କା ଦେଲେ ଭଲ ନା ୩୦,୦୦୦ ଟଙ୍କା, ତାହା ଉପରେ ଆଲୋଚନା ହେଉଥିବା ଚିନ୍ତାର ବିଷୟ । ଏହି ମାଗଣା ଯୋଜନା ପଛର ଆଉ ଏକ ବଡ଼ ରହସ୍ୟକୁ ସେ ଉନ୍ମୋଚନ କରିଛନ୍ତି। ସୁବାରାଓ କହିଛନ୍ତି ଯେ ବଡ଼ ବଡ଼ ଲୋଭନୀୟ ଯୋଜନା ଘୋଷଣା କରି ନିର୍ବାଚନ ଜିତିବା ପରେ ରାଜନୈତିକ ଦଳଗୁଡ଼ିକ ସେହି ପ୍ରତିଶ୍ରୁତି ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି ।
ଆହୁରି ପଢ଼ନ୍ତୁ : ଡିସେମ୍ବର ପହିଲାରୁ ନୂଆ ନିୟମ, ଏଲପିଜି କମର୍ସିଆଲ ଦର ୧୦ ଟଙ୍କା କମିପାରେ
ସେମାନେ ଋଣ ଆଣି ଲୋକଙ୍କୁ ବାଣ୍ଟୁଛନ୍ତି । ଏହାର ଅର୍ଥ ହେଉଛି ଏବେ ଯେଉଁ ଟଙ୍କା ବଣ୍ଟାଯାଉଛି, ତାହା ଆଗାମୀ କାଲିର ଟିକସଦାତାଙ୍କ ଉପରେ ଏକ ବୋଝ ହେବ। ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ ଅନେକ ଅବିଶ୍ବସନୀୟ ଯୋଜନା ଘୋଷଣା ହୋଇଥିଲା ଯାହାକୁ ପୂରଣ କରିବା ଅସମ୍ଭବ ପ୍ରାୟ ମନେ ହେଉଛି। ମାଗଣା ଯୋଜନାରେ ବିପୁଳ ଖର୍ଚ୍ଚ କରିବା ପରେ ତେଲେଙ୍ଗାନା ଏବେ ଆର୍ଥିକ ଦୃଷ୍ଟିରୁ ସଂଘର୍ଷ କରୁଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟ ଏକଥା ଭଲ ଭାବେ ବୁଝିସାରିଲେଣି। ମାଗଣା ଯୋଜନାରେ ବାଣ୍ଟିବା ପରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖର୍ଚ୍ଚ ପାଇଁ ରାଜକୋଷରେ ପାଣ୍ଠି ରହୁନାହିଁ। ଯେଉଁଭଳି ଭାବେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମାଗଣା ଯୋଜନା ଘୋଷଣା କରିବାକୁ ପ୍ରତିଯୋଗିତା ଚାଲିଛି, କିଛି ଦିନ ପରେ ଲୋକମାନେ ସେସବୁ ଉପରେ ବିଶ୍ବାସ କରିବା ଛାଡ଼ିଦେବେ ବୋଲି ସୁବାରାଓ କହିଛନ୍ତି ।
ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଥିବା ଲୋକମାନଙ୍କ ପାଖରେ ମାଗଣା ଯୋଜନାର ଲାଭ ପହଞ୍ଚାଇବା ଜରୁରୀ। କିନ୍ତୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ଲୋକମାନଙ୍କୁ ତାହାର ଲାଭ ଦେବା ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟିରେ ନିବେଶକୁ ପ୍ରଭାବିତ ହେଉଛି। ମାଗଣା ଯୋଜନାର ପ୍ରଭାବକୁ ରୋକିବା ଲାଗି ଜାତୀୟ ସ୍ତରରେ ଏକ ଆଚରଣ ସଂହିତା ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କେଉଁ ଯୋଜନାରେ କେତେ ଖର୍ଚ୍ଚ ହେବ, କେଉଁମାନଙ୍କୁ ତାହାର ଲାଭ ମିଳିବ ଓ କେଉଁଠାରୁ ସେଥିପାଇଁ ଟଙ୍କା ଆସିବ ତାହା ଜଣାଇବା ପାଇଁ ରାଜନୈତିକ ଦଳଗୁଡ଼ିକୁ କହିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
Follow Us