କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ପ୍ରଚୁର ପରିମାଣର ଆତ ମିଳେ । କିଛି ଲୋକ ଏହାକୁ ଚାଷ କରି ରୋଜଗାରର ମାଧ୍ୟମ କରନ୍ତି, ପୁଣି କିଛି ଗଛ ଆପେ ଆପେ ଉଠିଥାଏ । ପାହାଡ଼ିଆ ଅଂଚଳର ଏହି ଆତ ଭାରି ସ୍ବାଦିଷ୍ଟ । ଆଦିବାସୀ ମାନେ ସକାଳୁ ସକାଳୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପାହାଡ଼ ଡଙ୍ଗରରୁ ଆତ ସଂଗ୍ରହ କରନ୍ତି । ରାୟଗଡ଼ା ସହରରେ ବଜାରର ବ୍ୟବସ୍ଥା ନଥିବାରୁ ଜାତୀୟ ରାଜପଥ କଡ଼ରେ ବିକ୍ରି କରନ୍ତି । ଠିକରେ ବିକ୍ରିବଟା ହେଉନଥିବାରୁ ଦଲାଲଙ୍କ ଶିକାର ହେଉଛନ୍ତି ଆଦିବାସୀ। ବିଶେଷକରି ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ କଲିକତାରେ ଏହି ଫଳର ଚାହିଦା ଅଧିକ ରହିଥିବାରୁ ସେଠାକାର ବେପାରିମାନେ ଆସି ଅତି କମ୍ ମୂଲ୍ୟରେ ଚାଷୀଙ୍କ ଠାରୁ କିଣିନିଅନ୍ତି । ଫଳରେ ଦୈନିକ ତେଲ ଲୁଣର ସଂସାର ଚଳାଇବା ପାଇଁ ଆଦିବାସୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ଝୁଡ଼ିରେ ୧୦ କେଜି ଓଜନର ଆତ ରହିଥାଏ । ବାହାର ରାଜ୍ୟର ବେପାରି ଝୁଡ଼ି ପିଛା ୧୫୦ ଟଙ୍କାରେ କିଣି କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି କରୁଛନ୍ତି । ଫଳରେ ଦଲାଲ ମାନେ ଲାଭବାନ ହେଉଛନ୍ତି । ଆଦିବାସୀ ମାନେ ଶୋଷଣର ଶିକାର ହେଉଛନ୍ତି ।
ଆଦିବାସୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସାଙ୍ଗକୁ ବଜାର ବ୍ୟବସ୍ଥା ପାଇଁ ଓରମାସ୍ ଭଳି ସରକାରୀ ସଂସ୍ଥା କାର୍ଯ୍ୟ କରୁଛି । ହେଲେ ଆଦିବାସୀ ଚାଷୀ ସ୍ୱାବଲମ୍ବୀ ହୋଇପାରୁନାହାନ୍ତି । ବିଶେଷକରି ରାୟଗଡ଼ା ସଦର ବ୍ଲକର ବାଇସିଂ, ଦୁର୍ଗାପାଡ଼ୁ, ପିପଲଗୁଡ଼ା, କୁଲି, ବଡ଼ଆଲୁବାଡ଼ି ଆଦି ପଞ୍ଚାୟତରେ ଆତ ଉତ୍ପାଦନ ଅଧିକ ପରିମାଣ ହୋଇଥାଏ । ହେଲେ ବିକ୍ରି ପାଇଁ ବଜାର ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।
ପ୍ରଶାସନ ପକ୍ଷରୁ ବଜାର ବ୍ୟବସ୍ଥା ହେଲେ ଗରିବ ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରନ୍ତା ।