କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂଇଁ । ସରକାରୀ ବାବୁଙ୍କୁ ହାତ କରି ମାଫିଆମାନେ କୋଟିକୋଟି ଟଙ୍କାର ପଥର ଲୁଟି ନେଉଛନ୍ତି । ନିଲାମ ଅବଧି ସରିବା ପରେ ମଧ୍ୟ ବହୁ ଖାଦାନରୁ ବେଧଡ଼କ ଭାବେ ପଥର ଚାଲାଣ ହେଉଛି । ଏଥିରେ ଖଣି ବିଭାଗ ବ୍ରେକ୍ ଦେଇପାରୁନାହିଁ । ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । 
 
ସରକାରଙ୍କ ସବୁ ନିୟମକୁ ଫୁ‘ କରି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଖାଦାନରୁ ପଥର ଚୋରା ଚାଲାଣ ହେଉଛି । ଦିନ ଅପେକ୍ଷା ରାତିରେ ଅଧିକ ବ୍ଲାଷ୍ଟିଂ କରି ପଥର ଚୋରା ଚାଲାଣ କରାଯାଉଛି । ଖାଦାନରେ କ୍ରସର ବି ଚାଲିଛି । ଏପରିକି କେତେକ ନିଲାମ ଅବଧି ସରି ଯାଇଥିଲେ ମଧ୍ୟ ଖାଦାନ ଖୋଳି ପଥର ଲୁଟୁଛନ୍ତି ମାଫିଆ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। 
 
 
ରାୟଗଡ଼ା ଜିଲ୍ଲାରେ ମୋଟ୍ ୮୮ଟି ପଥର ଖାଦାନ ଅଛି । ସେଥିରୁ ୬୦ଟି  ଖାଦାନ ଚାଲୁଛି । ୨୮ଟି ଖାଦାନର ନିଲାମ ଅବଧି ସରିଥିଲେ ବି ନବୀକରଣ ହୋଇନାହିଁ । ନିଲାମ ନବୀକରଣ ହୋଇ ନଥିଲେ ବି ଏସବୁ ଖାଦାନରୁ ମାଫିଆମାନେ ରାତିଦିନ ପଥର ଚୋରା ଚାଲାଣ କରୁଛନ୍ତି । ଯେଉଁଥିରୁ ପଥର ମାଫିଆ ଫାଇଦା ଉଠାଉଛନ୍ତି । 
 
ତେବେ ଏହି ଚୋରା କାରବାର ପଛରେ ଖଣି ବିଭାଗ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ଅନୁମତି ନଥିବା ସତ୍ତ୍ୱେ କିପରି ପଥର ଚାଲାଣ ହେଉଛି ? ଏନେଇ ରାୟଗଡ଼ା ଜିଲ୍ଲାର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଖଣି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇ କହିଛନ୍ତି, ଆବଶ୍ୟକ କର୍ମଚାରୀ ନଥିବାରୁ ବେଆଇନ ପଥର ଖାଦାନରେ ଚଢ଼ାଉ କରିବା ସମ୍ଭବ ହେଉନି ।
 
ପଥର ଖାଦାନ ରାଜସ୍ୱ ବିଭାଗରୁ ଖଣି ବିଭାଗକୁ ଆସିବା ପରେ ରାୟଗଡ଼ା ଜିଲ୍ଲାରେ ୨୦୨୩-୨୪ରେ ୧ କୋଟି ୪ ଲକ୍ଷ ୨୯ ହଜାର ୮୨୩ ଟଙ୍କା ଓ ୨୦୨୪-୨୫ରେ ୩ କୋଟି ୧ ଲକ୍ଷ ୭୨ ହଜାର ୧୩୫ ଟଙ୍କା ରାଜସ୍ୱ ମିଳିଥିଲା । ନିଲାମ ଅବଧି ସରିବା ପରେ ବନ୍ଦ ଥିବା ଖାଦାନରୁ ବେଆଇନ ପଥର ଚାଲାଣ ହେଉଛି । କିନ୍ତୁ କର୍ମଚାରୀ ନଥିବା କହି ଖଣି ବିଭାଗ ଅଧିକାରୀ ଚୁପ୍ ବସିବା ସନ୍ଦେହ ସୃଷ୍ଟି କରୁଛି ।