କନକ ବ୍ୟୁରୋ: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭ ବର୍ଷର ସଘଂର୍ଷ । ପଞ୍ଚାୟତରୁ କାର୍ୟ୍ୟାଳୟ, କାର୍ୟ୍ୟାଳୟରୁ କୋର୍ଟ ଦୌଡି ଦୌଡି ନୟାନ୍ତ ହେଲେଣି । ତଥାପି ନ୍ୟାୟ ମିଳୁନି । ରାୟଗଡ଼ାର ସୁଜିତଙ୍କ କାହାଣୀ ଏମିତି କିଛି । ବାପା ଥିଲା ବେଳେ ବେଶ ହସଖୁସିରେ ପରିବାର ଚାଲୁଥିଲା । ବାପାଙ୍କ ମୃତ୍ୟୁ ପରେ ପୁନର୍ବାସ ସହାୟତା ଯୋଜନାରେ ଚାକିରି ପାଇଁ ଆବେଦେନ କରି ଥକିଗଲେଣି ସୁଜିତ୍ । 

Advertisment

ରାୟଗଡ଼ା ଜେକେପୁର ସ୍ଥିତ ଜଗନ୍ନାଥ ମନ୍ଦିର ସାହିରେ ରୁହନ୍ତି ସୁଜିତ କରଙ୍କ ପରିବାର । ସୁଜିତଙ୍କ ବାପା ଭିଏଲଡବ୍ଲୁରେ କାମ କରି ପରିବାର ପୋଶୁଥିଲେ । ମାଆ ଓ ଦୁଇ ଭଉଣୀଙ୍କ ସହ ଖୁସିରେ ଥିଲେ ସୁଜିତ୍ । ୨୦୧୭ରେ ବାପାଙ୍କ ମୃତ୍ୟୁ ପରେ ହଜି ଯାଇଛି ହସ । ନିଜ ଘର ମରାମତି ପାଇଁ ପଇସା ନଥିବାରୁ ଭଡ଼ା ଘରେ ରହୁଛନ୍ତି । ବିବାହିତ ଦୁଇ ଭଉଣୀଙ୍କ ସହଯୋଗରେ ଚଳୁଛନ୍ତି । 

ଏଣେ ବାପାଙ୍କ ଚାକିରିରେ ପୁନଃଥଇଥାନ ପାଇଁ ୨୦୧୮ରୁ ଆବେଦନ କରି ଥକି ଗଲେଣି ସୁଜିତ୍ । ପଞ୍ଚାୟତ ଅଫିସରୁ ଜିଲ୍ଲା ମୁଖ୍ୟାଳୟ ଦୌଡି ଦୌଡ଼ି ନୟାନ୍ତ ହେଲେଣି । ସୁଜିତଙ୍କ ମାଆ ଲଳିତା କର ଜିଲ୍ଲାପାଳଙ୍କ ପାଖରେ ୩ଥର ଲିଖିତ ଅଭିଯୋଗ ଦାଖଲ କଲେଣି । କିନ୍ତୁ  କିଛି ଲାଭ ମିଳିନି । ବରଂ ୨୦୨୦ର ନୂଆ ନିୟମ ଅନୁଯାୟୀ ସୁଜିତଙ୍କୁ ଏହି ପଦବୀ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଜିତ । ୨ମାସ ଭିତରେ ମାମଲାର ପୁର୍ନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୨୦୨୪ରେ ତତ୍କାଳୀନ ଜିଲ୍ଲାପାଳ ସୁଜିତଙ୍କୁ ଡ଼ାକିବା ସହ ଜିଲ୍ଲା ପଞ୍ଚାୟତ କାର୍ୟ୍ୟାଳୟରୁ ରିପୋର୍ଟ ମାଗିଥିଲେ। କିନ୍ତୁ ଆବଶ୍ୟକ ରିପୋର୍ଟ ନଥିବାରୁ ୬ମାସ ବିତିଯାଇଥିଲେ ସୁଦ୍ଧା ସୁଜିତଙ୍କ ଅଭିଯୋଗ ଶୁଣାଣି ହୋଇପାରୁନାହିଁ। ସେପଟେ ଜିଲ୍ଲା ପଚାଂୟତ ଅଧିକାରୀ ଯଥାଶୀଘ୍ର ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଖାମଖିଆଲି ମନଭାବ ପାଇଁ ୭ବର୍ଷ ହେଲା ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ସୁଜିତ ।