କନକ ବ୍ୟୁରୋ: ଖବର ପ୍ରସାରଣ ପରେ ଡଙ୍ଗରିଆ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ଡଙ୍ଗରିଆଙ୍କ ବିଭିନ୍ନ ସମସ୍ୟାକୁ ନେଇ ୩ ଦିନ ତଳେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ ଜିଲ୍ଲାପାଳ ନିୟମଗିରିରେ ପହଞ୍ଚି ଡଙ୍ଗରିଆଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଡଙ୍ଗରିଆଙ୍କ ଗାଁରେ ରହିଛି ବିଭିନ୍ନ ସମସ୍ୟା। ସରକାର ବଦଳିଲେ। ଜିଲ୍ଲାପାଳ ପରେ ଜିଲ୍ଲାପାଳ ବଦଳୁଛନ୍ତି, ହେଲେ ଡଙ୍ଗରିଆଙ୍କ ଦୁଃଖ କେହି ବୁଝିଲେ ନାହିଁ। ଆବାସ, ଆଧାରକାର୍ଡ ନଥିବାରୁ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ କରିଥିଲେ ଡଙ୍ଗରିଆ କନ୍ଧ। ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ନିୟମଗିରିରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ଡଙ୍ଗରିଆଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି। ଘର ତିଆରି ସାମଗ୍ରୀ ଆଣିବା ପାଇଁ ଗାଡ଼ି ଭଡ଼ା ବାବଦକୁ ଅଧିକ ୧୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ଗାଁକୁ ଯାଇ ରାସ୍ତା, ବିଜୁଳି ଓ ପାନୀୟଜଳ ସମସ୍ୟା ସଂପର୍କରେ ବୁଝିଛନ୍ତି ଜିଲ୍ଲାପାଳ। ଅନ୍ୟସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଜିଲ୍ଲାପାଳ ନିୟମଗିରି ଅଞ୍ଚଳ ପରିଦର୍ଶନ ଯିବା ବାଟରେ ଗଛ ପକାଇ ଅବରୋଧ କରିଥିଲେ ଘାଗୁଡ଼ିମାଳ ଗ୍ରାମବାସୀ। ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇଥିଲେ। ଜିଲ୍ଲା ମୁଖିଆଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧରୁ ହଟିଥିଲା। କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକରେ ପ୍ରାୟ ୧୫ ହଜାର ଡଙ୍ଗରିଆ କନ୍ଧ ବସବାସ କରନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ୧,୯୧୪ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇଛି। ପ୍ରତି ହିତାଧିକାରୀଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ତାହା ଅଣ୍ଟୁନଥିବା ଅଭିଯୋଗ କରିଥିଲେ ଡଙ୍ଗରିଆ କନ୍ଧ। 
ଡଙ୍ଗରିଆଙ୍କ ଦୁଃଖ ଜାଣିବା ପରେ ଜିଲ୍ଲାପାଳ ତୁରନ୍ତ ନିୟମଗିରି ପରିଦର୍ଶନ କରି ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ତାଗିଦ କରିବା ଘଟଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।