କନକ ବ୍ୟୁରୋ: ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇଁ ତିଆରି କରାଯାଇଥିଲା ବାଇପାସ୍ । ହେଲେ ସମସ୍ୟା ପୂର୍ବବତ୍ ରହିଛି । ପ୍ରତିଦିନ ଟ୍ରାଫିକ୍ ଜାମ୍ ହେଉଥିବା ବେଳେ ବାଇପାସ୍ ରାସ୍ତା ଖାଁ ଖାଁ ପଡ଼ିଛି । ବାଇପାସ୍ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । କୋଟିକୋଟି ଟଙ୍କା ଖର୍ଚ୍ଚ କରି ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ତିଆରି କରାଯାଇଥିଲା ଏହି ବାଇପାସ୍ । ରାସ୍ତା ଚିକ୍କଣ ହେଲେ ଗୋଟେ ବି ଗାଡ଼ିର ଦେଖା ନାହିଁ । କାରଣ ଏହି ବାଇପାସ୍ ରାସ୍ତାରେ ଥିବା ୩ଟି ପୁରୁଣା ବ୍ରିଜ୍ ଉପରେ ଭାରିଯାନ ଚଳାଚଳ ସମ୍ଭବପର ନୁହେଁ । ବ୍ରିଜ୍ ଦବି ଯାଇଥିବାରୁ କୌଣସି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚାଳକ ରାସ୍ତା ଦେଇ ଯିବାକୁ ଅମଙ୍ଗ ଲୋକେ । ଗାଡ଼ି ସବୁ ରାୟଗଡ଼ା ସହର ମଧ୍ୟ ଦେଇ ଚଳାଚଳ କରୁଛି । ଯାହାଦ୍ୱାରା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

Advertisment

ବ୍ରିଜର ମାନ ପରୀକ୍ଷା ନକରି କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତିଦିନ ଦୁର୍ଘଟଣା ବି ଘଟି ଚାଲିଛି । ସମସ୍ତ ଭାରିଯାନ ଏହି ବାଇପାସ୍ ରାସ୍ତା ଦେଇ ଚଳାଚଳ କରିବାର ଲକ୍ଷ୍ୟ ଥିଲେ ବି ଏବେ ସବୁ ଗାଡ଼ି ସହର ମଧ୍ୟ ଦେଇ ଚଳାଚଳ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି । ସେପଟେ ଘଟଣା ସ୍ୱୀକାର କରିବା ସହ ବଜେଟ୍‌ ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଏହାର ସମାଧାନ କରାଯିବାର ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ରାୟଗଡ଼ାବାସୀ । 

କିଛି ଚିନ୍ତା ନକରି କୋଟିକୋଟି ଟଙ୍କାର ବାଇପାସ୍ ରାସ୍ତା ନିର୍ମାଣ ହୋଇଛି । ହେଲେ ଟ୍ରାଫିକ୍ ସମସ୍ୟା ପୂର୍ବବତ୍ ରହିଛି । ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦିଆଯାଇ ସମାଧାନ କରାଯାଇପାରିଲେ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ ।