କନକ ବ୍ୟୁରୋ : କଞ୍ଚା ପିଆଜ ଆମ ଶରୀର ପାଇଁ ଖୁବ୍ ଲାଭଦାୟକ । ପ୍ରତ୍ୟେକ ଦିନ କଞ୍ଚା ପିଆଜ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । କଞ୍ଚା ପିଆଜର ବ୍ୟବହାର ଆୟୁର୍ବେଦରେ ମଧ୍ୟ ଅଧିକ କରାଯାଇଥାଏ । ଏହା ଆପଣଙ୍କ ଶରୀର ସୁସ୍ଥ ରଖିବା ସହ ଚର୍ମ ଏବଂ କେଶକୁ ସୁସ୍ଥ ରଖିଥାଏ । କଞ୍ଚା ପିଆଜକୁ ଗରିବଙ୍କ ଔଷଧ ମଧ୍ୟ କୁହାଯାଇଥାଏ । ଯାହା ସହଜରେ ମିଳିଥାଏ, ଶସ୍ତା ଆଉ ସୁସ୍ଥ ମଧ୍ୟ । ଆୟୁର୍ବେଦରେ ପିଆଜକୁ ବାତ ସମ୍ପନ୍ଧୀୟ ରୋଗ ପାଇଁ ଲାଭକାରୀ ମନେକରାଯାଇଥାଏ । ଏହା ଶରୀରରେ ଶକ୍ତି ବଢାଇଥାଏ । ଏହା ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟାକୁ ମଧ୍ୟ ଉନ୍ନତ କରେ । ଏଥିସହିତ ନାକରୁ ରକ୍ତସ୍ରାବ ବନ୍ଦ କରିବାରେ ମଧ୍ୟ ତାଜା ପିଆଜ ରସ ସହାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ପିଆଜ ।
ବିଜ୍ଞାନ ଅନୁସାରେ ପିଆଜର ଉପକାରିତା
ପିଆଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଯେପରିକି କ୍ୱେରସେଟିନ୍ ଏବଂ ସଲଫର ଯୌଗିକ, ଶରୀର ପାଇଁ ଲାଭଦାୟକ । ହୃଦ୍ ରୋଗ ଭଲ କରିଥାଏ କଞ୍ଚା ପିଆଜ । ବ୍ଲଡ ପ୍ରେସର କମ୍ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ହୃଦୟକୁ ସୁସ୍ଥ କରିଥାଏ । ଲାଲ ପିଆଜରେ ମିଳୁଥିବା ଆନ୍ଥୋସାୟାନିନ୍ ଯୌଗିକଗୁଡ଼ିକ କର୍କଟ ରୋଗ ସହିତ ଲଢ଼ିବାରେ ସହାୟକ ହୋଇଥାଏ । ପିଆଜ ମଧ୍ୟ ମଧୁମେହ ପାଇଁ ଲାଭଦାୟକ କାରଣ ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରିଥାଏ । ଏବଂ ଯକୃତରେ ଚିନି ମେଟାବୋଲିଜିମ୍ ଉନ୍ନତ କରେ । ପେଟ ସ୍ୱାସ୍ଥ୍ୟ ପାଇଁ ପିଆଜକୁ ଏକ ଭଲ ପ୍ରିବାୟୋଟିକ୍ ଉତ୍ସ ଭାବରେ ବିବେଚନା କରାଯାଏ । ଏଥିରେ ମିଳୁଥିବା ଫାଇବର ଭଲ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରେ, ଯାହା ପେଟ ଭଲ ରଖିଥାଏ ।