କନକ ବ୍ୟୁରୋ : ହରିୟାଣା ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିବା ବେଳେ ଜାମ୍ମୁ-କାଶ୍ମୀରରେ କିନ୍ତୁ ବିଜେପିକୁ ପରାଜୟ ବରଣ କରିବାକୁ ପଡିଛି । ଜାମ୍ମୁ-କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବିଜେପିକୁ ଝଟକା ଦେଇଛି । ଏହା ଭିତରେ ଜାମ୍ମୁ-କାଶ୍ମୀର ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରୈନା ନିଜେ ପରାଜିତ ହୋଇଛନ୍ତି । ଏହି ଆସନରୁ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ସୁରିନ୍ଦର ଚୌଧୁରୀ ରବିନ୍ଦ୍ରଙ୍କୁ ୭,୮୧୯ ଭୋଟରେ ପରାଜିତ କରିଛନ୍ତି । ରବିନ୍ଦ୍ର ଦୀର୍ଘ ସମୟ ଧରି ବିଜେପିର ବିଜୟ ପାଇଁ କାମ ଜାରି ରଖିଥିଲେ । 

Advertisment

ଗଣତି ଆରମ୍ଭ ହେବା ପରେ ରବିନ୍ଦ୍ର ଦାବି କରୁଥିଲେ ଯେ ବିଜେପି ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବ । ଆବଶ୍ୟକ ପଡିଲେ ସ୍ୱାଧୀନ ବିଧାୟକଙ୍କ ସହଯୋଗ ଲୋଡିବ । ତାଙ୍କର ସବୁ ଆଶା ଆଶାରେ ରହିଯାଇଛି । ଦଳର ପରାଜୟ ସହ ନିଜେ ପରାଜିତ ହେବା ଏବେ ସମସ୍ତଙ୍କୁ ଚକିତ କରିଛି । 

ସଦ୍ୟ ସୂଚନା ମୁତାବକ ୯୦ ଆସନ ବିଶିଷ୍ଠ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ୪୨ ଟି ଆସନରେ ବିଜୟୀ ହୋଇଛି । ଏହାସହ ନ୍ୟାସନାଲ କନଫରେନ୍ସର ସହଯୋଗୀ ଦଳ କଂଗ୍ରେସକୁ ୬ଟି ଆସନ ମିଳିଛି । ସେହିଭଳି ବିଜେପିକୁ ୨୯ ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୩ ଟି ଆସନରେ ବିଜୟୀ ହୋଇଛନ୍ତି ।