କନକ ବ୍ୟୁରୋ: ପର୍ଥ ଟେଷ୍ଟରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦମଦାର ଶତକ ହାସଲ କରିଥିଲେ । ଆଉ ଏହି ଶତକ ପରେ ସେ ନିଜ ପୁରୁଣା ଅନ୍ଦାଜରେ ଫ୍ଲାଇଙ୍ଗ କିସ କରିଥିଲେ । ବିରାଟଙ୍କ ଏହି ଆକ୍ସନରେ ତାଙ୍କ ଫ୍ୟାନ ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । ଆଉ ଏହାପରଠୁ ବିରାଟ-ଅନୁଷ୍କାଙ୍କ ଲଭ୍ ଷ୍ଟୋରୀର କିଛି କିଛି ଘଟଣା ସାମ୍ନାକୁ ଆସୁଛି । ପୂର୍ବତନ ରବି ଶାସ୍ତ୍ରୀ ମ୍ୟାଚ ପରେ ବିରୁଷ୍କାଙ୍କ ଲଭ ଷ୍ଟୋରୀକୁ ନେଇ ଏମିତି ସୂଚନା ଦେଇଛନ୍ତି ଯାହା ଆପଣ କେବେ ବି ଶୁଣିନଥିବେ ।
ବର୍ଡର ଗାଭାସ୍କର ଟ୍ରଫି ସିରିଜରେ କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ ବ୍ରେଟ ଲିଙ୍କ ସହ କଥା ହେଉ ହେଉ ୨୦୧୫ ଅଷ୍ଟ୍ରେଲିଆ ଟୁର କଥା କହିଥିଲେ । ଶାସ୍ତ୍ରୀ ସେହି ସମୟରେ ଟିମ ଇଣ୍ଡିଆର କୋଚ ଦାୟିତ୍ୱରେ ଥିଲେ । ସେ କହିଥିଲେ କି ବିରାଟ କୋହଲି କେମିତି ସେତେବେଳେ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଟୁରରେ ସାଙ୍ଗରେ ନେବାକୁ ଅନୁମତି ମାଗିଥିଲେ । ସେତେବେଳେ ଉଭୟ ବିବାହ କରିନଥିଲେ । ଆଉ ସେତେବେଳେ ବୋର୍ଡ କେବଳ ପତ୍ନୀମାନଙ୍କୁ ସାଙ୍ଗରେ ନେବାକୁ ଅନୁମତି ଦେଉଥିଲା ।
ରବି ଶାସ୍ତ୍ରୀ କହିଥିଲେ କି, ୨୦୧୫ରେ ମୁଁ ଭାରତୀୟ ଟିମର କୋଚ ଥିଲି । ସେତେବେଳେ ବିରାଟ କୋହଲିଙ୍କ ବିବାହ ହୋଇନଥିଲା । ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କୁ ଡେଟ୍ କରୁଥିଲେ । ବିରାଟ ମୋ ପାଖକୁ ଆସିଥିଲେ । ଆଉ କହିଥିଲେ ଟୁରରେ କେବଳ ପତ୍ନୀମାନଙ୍କୁ ସାଙ୍ଗରେ ନେବାର ନିୟମ ଅଛି, କଣ ମୁଁ ମୋ ଗାର୍ଲଫ୍ରେଣ୍ଡଙ୍କୁ ନେଇ ପାରିବି? ମୁଁ ଉତ୍ତର ଦେଇଥିଲି ନିଶ୍ଚିତ । ଆଉ ବିରାଟ କହିଥିଲେ କି ବୋର୍ଡ କେବଳ ପତ୍ନୀଙ୍କୁ ନେବାକୁ ଅନୁମତି ଦେଉଛି । ମୁଁ ଅନୁଷ୍କାଙ୍କୁ ଫୋନ କଲି ସେ ଆସିଲେ ଆଉ ବିରାଟଙ୍କ ସହ ଟୁରରେ ଯୋଗଦେଲେ ।
ସେହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିରାଟ କୋହଲି ୧୬୦ ରନ କରିଥିଲେ । ଆଉ ଏମିତି ଅନ୍ଦାଜରେ ଫ୍ଲାଇଙ୍ଗ କିସ କରିଥିଲେ ଯେମିତି ବର୍ଡର ଗାଭାସ୍କର ଟ୍ରଫିରେ ଶତକ ମାରିବା ପରେ କରିଥିଲେ । ଏହି ଟେଷ୍ଟ ମ୍ୟାଚ ପରେ ବିରାଟ କୋହଲି ଅନୁଷ୍କାଙ୍କ ପ୍ରଶଂସା କରି କହିଥିଲେ, ସେ ସବୁବେଳେ ମୋ ଖରାପ ସମୟରେ ମୋ ପାଖରେ ରହି ଆସିଛନ୍ତି ।
ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ସମ୍ପର୍କ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା । ଉଭୟ ୨୦୧୭ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛି । ଯାହାଙ୍କ ନାଁ ଭାମିକା ଓ ଆକାୟା ।
ଅଷ୍ଟ୍ରେଲିଆରେ ହେଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ଜିତି ୧-ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ ତାରିଖରେ ଆରମ୍ଭ ହେବ । ଭାରତ ଦ୍ୱିତୀୟ ମ୍ୟାଚରେ ଜିତି ଟେଷ୍ଟ ସିରିଜ କବଜା କରିବା ଲକ୍ଷ୍ୟରେ ରହିବ । ଆଉ ବିରାଟଙ୍କ ପ୍ରଦର୍ଶନ ଉପରେ ପୁଣି ଫ୍ୟାନଙ୍କ ନଜର ରହିଛି ।