କନକ ବ୍ୟୁରୋ: ଲିଡ୍ସ ଟେଷ୍ଟ ପୂର୍ବରୁ ଭାରତୀୟ ବୋଲିଂକୁ ନେଇ କେବଳ ଜଣଙ୍କ ନାଁ ଚର୍ଚ୍ଚାରେ ରହିଥିଲା, ସେ ହେଉଛନ୍ତି ଜଶପ୍ରୀତ ବୁମ୍‌ରା । ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ହିଁ ସେ ୪୮ ରନ୍‌ ଦେଇ ଘରୋଇ ଦଳ ୩ଟି ୱିକେଟ୍‌ ନେଇ ନିଜକୁ ସାବ୍ୟସ୍ତ କରିଥିଲେ । ନିଜ ବୋଲିଂ ଲୟରେ ଇଂଲିସ ବ୍ୟାଟରଙ୍କୁ ପିଚ୍‌ ଉପରେ ବେଶି ସମୟ ଠିଆ ହେବାକୁ ଦେଇନଥିଲେ । ତାଙ୍କରି ବୋଲିଂରେ ଘରୋଇ ଟିମ୍‌ ବ୍ୟାଟରଙ୍କ ତିନୋଟି କ୍ୟାଚ୍‌ ବି ଛାଡ଼ିଦେଇଥିଲେ ଭାରତୀୟ ଫିଲ୍ଡର ।

Advertisment

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୪୭୧ ରନ୍‌ କରିଥିଲା । ଜବାବରେ ଇଂଲଣ୍ଡ ଦଳ ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ୍‌ ବିନିମୟରେ ୨୦୯ ରନ୍‌ କରିନେଇଥିଲା । ୩ଟି ୱିକେଟ୍ ବୁମ୍‌ରା ହିଁ ଅକ୍ତିଆର କରିଥିଲେ, ଆଉ କୌଣସି ବୋଲର ଇଂଲିସ ବ୍ୟାଟରଙ୍କ ଉପରେ ପ୍ରଭାବ ପକାଉଥିବା ମନେ ହେଉନଥିଲା । ତୃତୀୟ ଦିନ ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ବିନିମୟରେ ୩୫୦ ରନ୍‌ କରିନେଇଥିଲା । 

ଟିମ୍‌ ଇଣ୍ଡିଆର ବୋଲିଂ ପ୍ରଦର୍ଶନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରବି ଶାସ୍ତ୍ରୀ । କାରଣ ବୁମ୍‌ରାଙ୍କୁ ଛାଡ଼ିଦେଲେ ଆଉ କୌଣସି ବୋଲର ଆଖି ଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି । ରବି ଶାସ୍ତ୍ରୀ କହିଛନ୍ତି, “ମୁଁ ବୁମ୍‌ରାଙ୍କୁ ନେଇ ସତରେ ଚିନ୍ତିତ ଅଛି । ସିରିଜରେ ତାଙ୍କ ଉପର କେତେ ଚାପ ରହିବ ତାହା ଦେଖିବାକୁ ହେବ । କାରଣ ତାଙ୍କ ବୋଲିଂ ସ୍ପେଲ୍‌ରେ ୱିକେଟ୍‌ କରୁଛନ୍ତି କ୍ୟାପ୍‌ଟେନ୍‌ । ଆଶା କରୁଛି ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଅନ୍ୟ ବୋଲରମାନେ ମଧ୍ୟ ବୁମ୍‌ରାଙ୍କ ଭଳି ଯୋଗଦାନ କରିବେ ।” 

କେବଳ ରବି ଶାସ୍ତ୍ରୀ ନୁହନ୍ତି, ପୂର୍ବତନ ଇଂଲଣ୍ଡ କ୍ରିକେଟର ନାସିର ହୁସେନ ମଧ୍ୟ ଭାରତୀୟ ବୋଲିଂ ଆଟାକ୍‌କୁ ନେଇ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ”ବୁମ୍‌ରା ନିଜ ବୋଲିଂ ଜାଲରେ ବ୍ୟାଟରଙ୍କୁ ଫସାଉଛନ୍ତି, କିନ୍ତୁ ଫିଲ୍ଡରମାନେ କ୍ୟାଚ୍‌ ଛାଡ଼ୁଛନ୍ତି । ଭାରତୀୟ ଫିଲ୍ଡର କ୍ୟାଚ ନଛାଡ଼ିଥିଲେ ମ୍ୟାଚ୍‌ର ଚିତ୍ର କିଛି ଅଲଗା ରହିଥାଆନ୍ତା । ଆଗାମୀ ଦିନରେ ଟିମ୍‌ ଇଣ୍ଡିଆର ବୋଲିଂ ଲାଇନ୍‌ ଉପରେ ନଜର ରହିବ ।“
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ରେ ଜଶପ୍ରୀତ ବୁମ୍‌ରା ନିଜର ପ୍ରଥମ ଓଭରରେ ଜ୍ୟାକ୍‌ କ୍ରଲିଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ । ଏହାପରେ ବେନ୍ ଡକେଟ୍‌ ଓ ଓଲି ପୋପ୍‌ଙ୍କ ମଧ୍ୟରେ ୧୦୦ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଡକେଟ୍‌ଙ୍କୁ ଆଉଟ୍‌ କରି ଭାଗିଦାରୀ ଭାଙ୍ଗିଥିଲେ ବୁମ୍‌ରା । ଜୋ ରୁଟ୍‌ ମଧ୍ୟ ଜଶପ୍ରୀତ ବୁମ୍‌ରାଙ୍କ ସାମ୍ନାରେ ବେଶି ସମୟ ତିଷ୍ଠି ପାରିନଥିଲେ । ସେପଟେ ପ୍ରସିଦ୍ଧ କ୍ରୀଷ୍ଣା ଓ ଶାର୍ଦୁଲ ଠାକୁର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।