କନକ ବ୍ୟୁରୋ:  ଅସତ୍ୟ ଉପରେ ହେଲା ସତ୍ୟର ଜୟ । ରାବଣକୁ ବଦ୍ଧ କଲେ ପ୍ରଭୁ ଶ୍ରୀରାମ । ବିଜୟା ଦଶମୀରେ ସାରା ରାଜ୍ୟରେ ରାବଣପୋଡ଼ି ପାଳନ ହୋଇଛି । ଏହି କ୍ରମରେ ଭୁବନେଶ୍ୱରର ୧୦ଟି ସ୍ଥାନରେ ବି ରାବଣପୋଡ଼ି ଉତ୍ସବ ପାଳନ ହୋଇଛି । ବରମୁଣ୍ଡା, ନୟାପଲ୍ଲୀ, ଝାରପଡ଼ା ଓ ନହରକଣ୍ଟା ଆଦି ସ୍ଥାନରେ ରାବଣପୋଡ଼ି ଉତ୍ସବ ପାଳନ କରିବାକୁ ଅନୁମତି ମିଳିଥିଲା । ଶାରଦୀୟ ଦୁର୍ଗାପୂଜାର ଶେଷ ଦିନରେ ରାବଣ ଦହନ ହୋଇଛି ।  ନୟାପଲ୍ଲୀରେ ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାବଣ ଦହନ କରିଛନ୍ତି । 

Advertisment

ରାବଣ ଦହନ ବେଳେ ଆତସବାଜିରେ ଫାଟି ପଡ଼ିଛି ଧରା ଗଗନ । ଚିକିମିକି ଆଲୁଅରେ ଆଲୋକିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ । ଏଭଳି ଦୃଶ୍ୟ ଦେଖଣାହାରିଙ୍କୁ କିଛି ସମୟ ଅଟକି ଯିବାକୁ ବାଧ୍ୟ କରିଥିଲା । ୧୦ ଦିନ ଧରି ମାଆଙ୍କ ପୂଜାର୍ଚ୍ଚନା ପରେ ଆଜି ରାବଣପୋଡ଼ିରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି । 

ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି  ମିଳିଥିଲା । ଆସନ୍ତାକାଲି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା । ଭସାଣି ପାଇଁ ଭୁବନେଶ୍ୱରରେ ଲାଗି ଜାରି ହେଲା କଟକଣା । ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ । ମେଢଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି । 

ଭସାଣି ଶେଷ ଯାଏଁ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ । ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ି ସିଆରପି ଛକରୁ ଆଗକୁ ଆସିବ ନାହିଁ । ସିଆରପିରୁ ଏକାମ୍ର ଦେଇ ଜୟଦେବ ବିହାର  ଯାଇପାରିବେ ଯାତ୍ରୀ । ସେହିପରି ଭସାଣି ସମୟରେ କିଟରୁ ଜାଭିୟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ବନ୍ଦ ରହିବ । ଭସାଣୀ ସମୟରେ ଅସୁବିଧା ନହେବାକୁ କରାଯାଇଛି ସମସ୍ତ ବ୍ୟବସ୍ଥା । ଭସାଣୀ ପାଇଁ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଲେ ଭୁବନେଶ୍ବର ଟ୍ରାଫିକ ଡିସିପି ତାପସ ଦାସ।