କନକ ବ୍ୟୁରୋ : ସମ୍ପୂର୍ଣ୍ଣ ହୋଇଛି ରତ୍ନଭଣ୍ଡାର ମରାମତି କାମ । ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା । ଏଇ ମାସ ଚେଷ୍ଟା କରାଯାଉଛି । ଅକ୍ଟୋବର ମଧ୍ୟରେ ଶେଷ ହେବ ଗଣତି ମଣତି ଓ ହୁଣ୍ଡି ଶିଫ୍ଟିଂ । ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ଶିଫ୍ଟିଂ ପାଇଁ ଏକ ରିଜଲ୍ୟୁସନ ଆସିବ । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ ଏବଂ ତୁରନ୍ତ ହୁଣ୍ଡି ଶିଫ୍ଟ ହୋଇ ଧାଡ଼ି ଦର୍ଶନ ଆରମ୍ଭ ହେବ ।
ସେପଟେ ଚାରି ଘଣ୍ଟା ଧରି ହୋଇଛି ଶ୍ରୀମନ୍ଦିର ସମୀକ୍ଷା ବୈଠକ । ଶ୍ରୀମନ୍ଦିର ପରିକ୍ରମା ସମେତ ଏହି ବୈଠକରେ ବିଭିନ୍ନ ଯୋଜନାର ଏକ ସବିଶେଷ ସମୀକ୍ଷା ହୋଇଛି । ପ୍ରକଳ୍ପ ଗୁଡିକର ସ୍ଥିତି କେମିତି ରହିଛି ସେ ସମ୍ପର୍କରେ ହୋଇଛି ଆଲୋଚନା । ବିଭିନ୍ନ ପ୍ରକଳ୍ପର ବାକି ଥିବା କାମ ସାରିବାକୁ ଦିଆଯାଇଛି ସମୟସୀମା । ତେବେ ସରକାର ଯୋଜନା କରିଥିବା ପୁରୀର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଓବିସିସି କର୍ମଚାରୀ ଉପସ୍ଥିତ ରହିଥିଲେ ।
ମନ୍ଦିର ପରିକ୍ରମାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପର ସ୍ଥିତି କଣ ଅଛି କେବେ ସରିବ ସେନେଇ ସମୟସୀମା ଧାର୍ଯ୍ୟ କରି ଡେଡ଼ଲାଇନ ଦିଆଯାଇଛି । ୫ଟି ପୁଷ୍କରିଣୀ ସଂରକ୍ଷଣ, ପୁରୀ ଟ୍ରାଫିକ ସମସ୍ୟା ଦୂରୀକରଣ, ପ୍ରମୋଦ ଉଦ୍ୟାନ ଓ ଗୁରୁକୁଳ ପ୍ରକଳ୍ପ, ସେବାୟତଙ୍କ ହାଉସିଂ ପ୍ରୋଜେକ୍ଟ, SJT ର ଷ୍ଟାଫ କ୍ଵାର୍ଟର ଆଦି ସବୁ ବାବଦରେ ଆଲୋଚନା ହୋଇଛି । ବିଭିନ୍ନ ପ୍ରକଳ୍ପର ଭିନ୍ନ ଭିନ୍ନ ସମୟସୀମା ଧାର୍ଯ୍ୟ ହୋଇଛି । ଏହାରି ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗୋଟେ ଗୋଟେ ସ୍ୱତନ୍ତ୍ର ଟିମ ହୋଇଛି ପ୍ରୋଜେକ୍ଟ ପାଇଁ । ସେମାନେ କାର୍ଯ୍ୟ କରିବେ । ବିଭାଗ ମଧ୍ୟ ଧାର୍ଯ୍ୟ ସମୟରେ ପ୍ରକଳ୍ପ ଗୁଡିକ ସାରିବା ପାଇଁ ଯତ୍ନବାନ ରହିବ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।