କନକ ବ୍ୟୁରୋ : ୭ ଦିନ ପର୍ୟ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ତାର ମରାମତି । ଫଗୁଦଶମୀରୁ ହୋଲି ଉତ୍ସବ ପର୍ୟ୍ୟନ୍ତ ମରାମତି କାମ ବନ୍ଦ ରହିବ । ଅର୍ଥାତ ମାର୍ଚ୍ଚ ୯ରୁ ୧୫ ଯାଏଁ ମରାମତି କାମ ବନ୍ଦ ରହିବ । ଦୋଳପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଗତ ଡିସେମ୍ବର ମାସରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିବା ବେଳେ, ଫେବ୍ରୁଆରୀ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର ହୋଇଥିଲା । କିନ୍ତୁ ଏହି ସମୟ ଭିତରେ ସରିବ ନାହିଁ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଭିଡ଼ ଯୋଗୁ ମରାମତିରେ ବାଧା ସୃଷ୍ଟି ହେଉଛି । କାମ ତ୍ୱରାନ୍ୱିତ ହୋଇପାରୁନାହିଁ । ତେବେ ନୀତି ସଅଳ ସାରିବାକୁ ଚେଷ୍ଟା କରୁଥିବା ସେବାୟତ କହିଛନ୍ତି ।
ଭିତର ରତ୍ନଭଣ୍ଡାରର ମରାମତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଟାଣ ମରାମତି ଓ ଗ୍ରାଉଟିଂ ସରିଥିବା ବେଳେ କାନ୍ଥରେ ଖରାପ ପଥର ବଦଳାଇ ଲଗାଯାଇଛି ନୂଆ ପଥର । ବାହାର ରତ୍ନଭଣ୍ଡାର କାନ୍ଥରେ ଚୂନ ଛଡ଼ା ଯାଉଛି । ମରାମତି ଅତି ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ ବିଳମ୍ବ ହେଉ ପଛେ ଠିକ୍ ଭାବରେ କାମ କରାଯାଉଛି ବୋଲି ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ।
ପରେ ପାର୍ଶ୍ଵ ଦେବଦେବୀ ମନ୍ଦିର ମରାମତି ହେବ । ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ଅଳଙ୍କାର ଥିବା ସିନ୍ଦୁକ ଓ ଆମଲମିରା ସବୁକୁ ନୀଳାଦ୍ରି ମ୍ୟୁଜିୟମ ପାଖ ପ୍ରକୋଷ୍ଠରେ ରଖାଯାଇଛି । ରତ୍ନଭଣ୍ଡାର ମରାମତି ସରିଲେ ଅଳଙ୍କାର ଗଣତିମଣତି ହେବ । କିନ୍ତୁ ରତ୍ନଭଣ୍ଡାର ମରାମତି କେବେ ସରିବ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।