କନକ ବ୍ୟୁରୋ : ନିର୍ବାଚନ ସମୟରେ ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରି, ବିଜେଡି ଉପରେ ଜୋରଦାର ବର୍ଷୁଥିଲା ବିଜେପି । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଶୀର୍ଷ ନେତାମାନେ, ସରକାରକୁ ଆସିଲେ ରଚ୍ନଭଣ୍ଡାର ଚାବି ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଉଥିଲେ । ହେଲେ ସରକାରକୁ ଆସିବା ପରେ ବିଜେପିର ସ୍ୱର ବଦଳି ଯାଇଛି ।
୨୦୨୪ ନିର୍ବାଚନବେଳେ, ଅନୁଗୁଳରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶ୍ରୁତି । ଏପରିକି ଖବର କାଗଜରେ ବଡ଼ ବଡ଼ ବିଜ୍ଞାପନ ଦେଇ, ରତ୍ନଭଣ୍ଡାର ଚାବି ଖୋଜି ଆଣିବାର ପ୍ରତିଶ୍ରୁତି ଦେଉଥିଲା ବିଜେପି । କୁହାଯାଉଛି ଭୋଟ୍ ଧ୍ରୁବିକରଣରେ ବିଜେପିର ଏହି ସ୍ଲୋଗାନ ବେଶ ପ୍ରଭାବ ବି ପକାଇଲା । ହେଲେ ସରକାରକୁ ଆସିବା ପରେ ବିଜେପିର ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି ।
୨୦୧୮ରେ ରତ୍ନଭଣ୍ଡାର ଖୋଲିବା ଯାଞ୍ଚ କରିବାକୁ ଏକ ୧୭ ଜଣିଆ କମିଟି କରିଥିଲେ ତତକାଳୀନ ବିଜେଡି ସରକାର । ହେଲେ ଚାବି ନମିଳିବାରୁ ରତ୍ନଭଣ୍ଡାର ଖୋଲା ଯାଇପାରିଲାନି । ଏହାକୁ ନେଇ ପ୍ରବଳ ତମ୍ୱିତୋଫାନ ହେବାରୁ ତଦନ୍ତ କମିଶନ୍ ଗଠନ କରାଗଲା । ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଗଠନ ହେଲା ତଦନ୍ତ କମିଶନ ।୨୦୧୮ ନଭେମ୍ବର ୨୯ରୁ କମିଶନଙ୍କ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି । ହେଲେ ରିପୋର୍ଟରେ କ'ଣ ଅଛି, ତାହା ଆଜିଯାଏ କାହାରିକୁ ଜଣାନାହିଁ ।
ରିପୋର୍ଟ ସାର୍ବଜନୀନ ହୋଇନଥିବାରୁ ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ ପୁରୀର ସାମାଜିକ କର୍ମୀ ଦିଲ୍ଲୀପ କୁମାର ବରାଳ । ମାମଲାର ଶୁଣାଣିବେଳେ ୧୯ ଜୁନ୍ ୨୦୨୪ରେ ଏକ ସତ୍ୟପାଠ ଦେଇଥିଲେ ତତକାଳୀନ ବିଜେଡି ସରକାର । ରିପୋର୍ଟ ମିଳିସାରିଥିବା ଓ ଖୁବଶୀଘ୍ର କ୍ୟାବିନେଟ୍ରେ ଉପସ୍ଥାପନ କରିବା ନେଇ ସତ୍ୟପାଠରେ ଦର୍ଶାଇଥିଲେ ।
ତେବେ ଆଜି ମାମଲାର ଶୁଣାଣିବେଳେ ନୂଆ ସରକାର ମାମଲାକୁ କୋର୍ଟରେ ବିରୋଧ କରିଥିବା କହିଛନ୍ତି ଆବେଦନକାରୀଙ୍କ ଓକିଲ । ଏପରିକି ବିଜେପି ସରାର ଏହାକୁ ବିରୋଧ କରି ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହନ୍ତି । କୋର୍ଟ ମଧ୍ୟ ସରକାରଙ୍କୁ ଏଥିପାଇଁ ବାଧ୍ୟ କରିପାରିବେ ନାହିଁ ।
ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ବମ୍ୱେ ଦଙ୍ଗା ମାମଲାରେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ତଦନ୍ତ କମିଶନ ରିପୋର୍ଟ ସାର୍ବଜନିନ କରିଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ସେହି ଉଦାହରଣ ଦେଇ ସରକାର ସତ୍ୟପାଠରେ ମାମଲାର ବୈଧତା ନେଇ ପ୍ରଶ୍ନ ଉଠାଇଥିବା କହିଛନ୍ତି ।